ଜାଣନ୍ତୁ କିଛି ଘରୋଇ ଟିପ୍ସ , ଯାହା ଦିନେ ନା ଦିନେ ଆସିବ ଆପଣଙ୍କ କାମରେ

ଖାଦ୍ୟ ଖାଇବା ଯେତିକି ସହଜ ହୋଇଥାଏ ତାହାକୁ ପ୍ରସ୍ତୁତ କରିବା ଟିକେ କଷ୍ଟ ହୋଇଥାଏ । ରାନ୍ଧୁଥିବା ଲୋକଙ୍କ ପାଇଁ ଖାଦ୍ୟ କିପରି ଟେଷ୍ଟ୍ ହବ ଲୋକମାନେ କିପରି ତାଙ୍କ ଖାଦ୍ୟକୁ ପ୍ରଶଂସା କରିବେ ସେନେଇ ସେମାନେ ଆଶାବାଦୀ ଥାଆନ୍ତି । ଖାଦ୍ୟ ରାନ୍ଧିବା ବିଶେଷ ଭାବେ ଘରର ମହିଳା ମାନଙ୍କ କାମ ହୋଇଥିବା ବେଳେ ଆଜି କାଲି ପୁରୁଷମାନେ ମଧ୍ୟ ଏଥିପ୍ରତି ରୁଚି ରଖିଲେଣି । ତେଣୁ ଖାଦ୍ୟ ରାନ୍ଧିବା ବ୍ୟତିତ ଖାଦ୍ୟ ସମ୍ବନ୍ଧୀୟ ଏମିତି କିଛି ଜାଣିବାର କଥା ରହିଛି ଯାହା କେବେନା କେବେ ନିଶ୍ଚିତ ଭାବେ କାମରେ ଆସିଥାଏ ।
ଆସନ୍ତୁ ଜାଣିବା ଖାଦ୍ୟ ସମ୍ବନ୍ଧୀୟ କିଛି ଟିପ୍ସ :
-ଭେଣ୍ଡିରେ ଲାଳୁଆ ଅଂଶ କମାଇବାକୁ ଚାହୁଁଥିଲେ, ଭାଜିବା ସମୟରେ ସେଥିରେ ଅଳ୍ପ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ଦେଖିବେ ଭେଣ୍ଡି ଲାଳୁଆ ହେବନାହିଁ ଏବଂ ଭଲ ଭାବେ ଭାଜି ହୋଇଯିବ ।
-ଆପଣ ଲେମ୍ବୁକୁ ଅଧିକ ଦିନ ସତେଜ ରଖିବାକୁ ଚାହୁଁଥିଲେ ଗୋଟିଏ ପାତ୍ରରେ ପାଣି ଦେଇ ସେଥିରେ ଗୋଟା ଲେମ୍ବୁକୁ ରଖି ଫ୍ରିଜ୍ରେ ରଖନ୍ତୁ । ଲେମ୍ବୁ ବହୁତ ଦିନ ପର୍ୟ୍ୟନ୍ତ ସତେଜ ରହିବ ।
-ଯଦି ଆପଣ ଘରେ ଡାଲମା କରିବା ସମୟରେ କଞ୍ଚା କଦଳୀ ପକାଇଲେ ଡାଲ୍ମା କଳା ପଡୁଛି, ତେବେ କଞ୍ଚା କଦଳୀକୁ କାଟି ତାକୁ ହଳଦୀ ପାଣିରେ ପକାଇ ଦିଅନ୍ତୁ । ପରେ ଏହାକୁ ଛାଣି ଡାଲମାରେ ବ୍ୟବହାର କରନ୍ତୁ । ଦେଖିବେ ଡାଲମା କଳା ପଡ଼ିବ ନାହିଁ ।
-ଫୁଲକୋବିରୁ ପୋକ ବାହାର କରିବା ପାଇଁ ଏହାକୁ ଛୋଟ ଛୋଟ ଆକାରରେ କାଟି ନଖ ଉଷୁମ ହଳଦୀ ପାଣିରେ ପକାନ୍ତୁ । ଯଦି ଏଥିରେ କୌଣସି ପୋକ ଥିବ ତେବେ ବାହାରି ଯିବେ ।
-କଲରାର ପିତା ଅଂଶକୁ କମାଇବାକୁ ଚାହୁଁଥିଲେ ପ୍ରଥମେ ହଳଦୀ ଓ ଲୁଣ ପାଣିରେ କଲରାକୁ ଅଳ୍ପ ଶିଝାଇ ସେ ପାଣିକୁ କାଢ଼ି ଦିଅନ୍ତୁ । ବର୍ତ୍ତମାନ ତେଲ ଗରମ କରି କଲରାକୁ ଭଲ ଭାବେ ଭାଜନ୍ତୁ । ଭଜା ଶେଷରେ ଅଳ୍ପ ଜିରା ଲଙ୍କାଗୁଣ୍ଡ ଛିଞ୍ଚି ଦିଅନ୍ତୁ।
-ମାଛ ମଞ୍ଜିରେ କୌଣସି ବ୍ୟଞ୍ଜନ ତିଆରି କରିବା ସମୟରେ ଏହାକୁ ଖାଲି ନ ଭାଜି ସେଥିରେ ଅଳ୍ପ ବେସନ, ଚୂନାଚୂନା କଟା ପିଆଜ ଓ କଞ୍ଚାଲଙ୍କା ଗୋଳାଇ ଭାଜନ୍ତୁ । ଦେଖିବେ ଏହା ଅଧିକ ସ୍ୱାଦଯୁକ୍ତ ହେବ ।