ଆପଣଙ୍କର ଅଛି କି ସାଙ୍ଘାତିକ ଗ୍ୟାସ୍‌ ସମସ୍ୟା? ତୁରନ୍ତ ନିଜ ଡାଏଟ୍‌ରୁ ହଟାଇ ଦିଅନ୍ତୁ ଏ ସବୁ ଡାଲି ଓ ପରିବା

ଅନେକ ବାର ଆମେ ନିଜ ଡାଏଟ୍‌ରେ ଏମିତି ଜିନିଷ ସାମିଲ କରିଥାଉ, ଯାହାକୁ ଖାଇଲେ ଗ୍ୟାସ୍‌ ହୋଇଥାଏ। ଯେମିତି କି, କୋବି, ହରଡ଼ ଡାଲି, ବାହାର ଖାଦ୍ୟ ଇତ୍ୟାଦି। ଏ ସବୁ ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ ସମସ୍ୟା ବଢ଼ି ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ ପରିବା ଖାଇବା ଦ୍ୱାରା ପେଟରେ ଗ୍ୟାସ୍‌ ସମସ୍ୟା ବଢ଼ିଥାଏ ଏବଂ ଏଥିରୁ କିପରି ନିଜକୁ ରକ୍ଷା କରାଯାଇ ପାରିବ।

କୋବି: ପ୍ରତିଦିନ କୋବି ଖାଉଥିବା ଲୋକ ସାବଧାନ ହୋଇ ଯାଆନ୍ତୁ। କାହିଁକି ନା, କୋବିରୁ ଗ୍ୟାସ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ଯଦିଓ ଅନେକ ଲୋକ ଏହାକୁ ସହଜରେ ହଜମ କରିନେଇ ଥାଆନ୍ତି, କିନ୍ତୁ କିଛି ଲୋକଙ୍କ ପାଇଁ ଏହା ସମସ୍ୟା ଆଣିଥାଏ। ଏମିତି ସ୍ଥିତିରେ ଆପଣ କୋବିକୁ ସିଝାଇ ତରକାରୀ କିମ୍ବା ଭଜା କରି ଖାଇ ପାରିବେ। ଏହାଦ୍ୱାରା ପେଟରେ ଗ୍ୟାସ୍‌ ହେବ ନାହିଁ। ଏହାଛଡ଼ା କୋବି ରାନ୍ଧିଲା ବେଳେ ଆପଣ ହେଙ୍ଗୁ ପକାଇ ପାରିବେ।

ଡାଲି: ଡାଲି ସମସ୍ତଙ୍କ ପ୍ରିୟ। ଏଥିରେ ଭଲ ମାତ୍ରାରେ ପ୍ରୋଟିନ ଥାଏ। କିନ୍ତୁ କିଛି ଡାଲି ରହିଛି, ଯାହା ପେଟରେ ଗ୍ୟାସ୍‌ ସୃଷ୍ଟି କରିଥାଏ। ଉଦାହରଣ ସ୍ୱରୂପ, ବିରି ଡାଲି ଓ ହରଡ଼ ଡାଲି। ତେଣୁ ଆପଣ ଡାଲି ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ଏହାକୁ ପାଣିରେ ଭିଜେଇ ଦିଅନ୍ତୁ। ଏହାପରେ ପ୍ରସ୍ତୁତ କରନ୍ତୁ। ଛୁଙ୍କ ଲଗାଇବା ସମୟରେ ସେଥିରେ ଟିକିଏ ହେଙ୍ଗୁ ପକାଇ ପାରିବେ, ଯଦ୍ଦ୍ଵାରା ଗ୍ୟାସ୍‌ ସମସ୍ୟା କମିଯିବ।

ପଣସ: ଅନେକ ଲୋକ ପଣସ ଖାଇବାକୁ ପସନ୍ଦ କରି ଥାଆନ୍ତି। କିନ୍ତୁ ମନେ ରଖନ୍ତୁ, ଯେଉଁମାନଙ୍କର ପୂର୍ବରୁ ଗ୍ୟାସ୍‌ ସମସ୍ୟା ରହିଛି, ସେମାନେ ପଣସ ଖାଇବାଠୁ ଦୂରେଇ ରୁହନ୍ତୁ। କାହିଁକି ନା, ପଣସ ପେଟରେ ଗ୍ୟାସ୍‌ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଆପଣ ଅଧିକ ମାତ୍ରାରେ ପଣସ ଖାଆନ୍ତୁ ନାହିଁ, ନଚେତ୍‌ ପେଟ ଫୁଲିବାକୁ ଲାଗିବ।

gas2
photo: varmasakshi

ଗ୍ୟାସ୍‌ ସମସ୍ୟା ଥିଲେ ଖାଆନ୍ତୁ ଏହି ଜିନିଷ

ଜୁଆଣୀ: ଜୁଆଣୀ ଖାଇଲେ କେବଳ ଥଣ୍ଡା ଓ କାଶରୁ ଆରାମ ମିଳି ନ ଥାଏ, ବରଂ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ। ଗରମ ପାଣି ସହିତ ଜୁଆଣୀ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ହୁଏ ନାହିଁ।

ଧନିଆ: ଅନେକ ଲୋକ ଚା’ରେ ଧନିଆ ପକାଇ ପିଇ ଥାଆନ୍ତି। ଯେପରି ସେମାନଙ୍କୁ ଏସିଡିଟି ନ ହେବ। ଖାଇବା ପରେ ଧନିଆ ଖାଇବା ଦ୍ୱାରା ଏସିଡିଟି ହୁଏ ନାହିଁ। ଯଦି ଆପଣଙ୍କର ଗ୍ୟାସ୍ ସମସ୍ୟା ଅଛି, ତା’ ହେଲେ ଖାଇବା ପରେ ଧନିଆ ଖାଇବାର ଅଭ୍ୟାସ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.