ଏହିପରି ବ୍ୟବହାର କରନ୍ତୁ ଅଖରୋଟ ତେଲ: ରୁପି ଓ କେଶ ଝଡିବା ସମସ୍ୟାରୁ ମିଳିବ ମୁକ୍ତି

ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ। ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ତ୍ବଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଏହି ଋତୁରେ ଗରମ ପାଣି ବ୍ୟବହାର କରିବା ଦ୍ୱାରା କେଶର ଶୁଷ୍କତା ବଢିଯାଏ ଏବଂ ଦୁର୍ବଳ ହୋଇଯାଇ ଝଡି ଯାଇଥାଏ । ଏହାସହ ଏହି ଋତୁରେ ରୁପି ସମସ୍ୟା ମଧ୍ୟ ଦେଖାଯାଇଥାଏ । କେଶର ଏହି ସବୁ ସମସ୍ୟାର ସମାଧାନ କେବଳ ସାମ୍ପୁ ଏବଂ କଣ୍ଡିସନରରେ ସମ୍ଭବ ହୋଇନଥାଏ । ଏଥିପାଇଁ ଶୀତଦିନେ କେଶର ପ୍ରାକୃତିକ ଯତ୍ନର ଆବଶ୍ୟକତା ରହିଛି ।

ସେଥିପାଇଁ କେଶରେ ଅଖରୋଟ ତେଲ ଲଗାଇବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । କାରଣ ଏହି ତେଲରେ ଭିଟାମିନ୍ ଏ, ଭିଟାମିନ୍ ଡି, ଓମେଗା -୩ ଫ୍ୟାଟ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ମ୍ୟାଗ୍ନେସିୟମ୍ ଭରପୂର ଥାଏ, ଯାହା କେଶକୁ ପୋଷଣ ଦେଇଥାଏ । କେଶର ମୂଳରେ ପ୍ରତିଦିନ ଅଖରୋଟ ତେଲ ଲଗାଇବା ଦ୍ୱାରା କେଶ ଦୃଢ ଏବଂ ସୁସ୍ଥ ରହିଥାଏ ।ତେବେ ଆସନ୍ତୁ ଜାଣିବା କେଶରେ ଅଖରୋଟ ତେଲ ଲଗାଇଲେ ଆମର କ’ଣ ଲାଭ ହୋଇଥାଏ ?

ଅଖରୋଟରେ ଭିଟାମିନ୍ ଏବଂ ବାୟୋଟିନ୍ ଥାଏ ଯାହା କେଶର ବୃଦ୍ଧି କରିଥାଏ । ଏହି ତେଲରେ ଥିବା ପୋଟାସିୟମ୍ କେଶକୁ ମଜବୁତ କରିବା ସହ ଚମକ ମଧ୍ୟ ଆଣିଥାଏ ।

ଯଦି ଆପଣଙ୍କର ଧଳା କେଶ ଅଛି ଏବଂ ଏହାକୁ କଲରିଂ କରନ୍ତି ତେବେ ଏହି ତେଲ ବ୍ୟବହାର କରନ୍ତୁ । ଅଖରୋଟ ତେଲ ବ୍ୟବହାର କରିବା ଦ୍ୱାରା କେଶରେ ଲଗାଇଥିବା କଲର ବେଶି ସମୟ ପର୍ଯ୍ୟନ୍ତ ରହିଥାଏ ।

ଶୀତଦିନେ ରୁପି ବହୁ କଷ୍ଟ ଦେଇଥାଏ । ଏହା କେବଳ କେଶକୁ ଦୂର୍ବଳ କରିନଥାଏ ବରଂ କୁଣ୍ଡେଇ ମଧ୍ୟ ହୋଇଥାଏ । ଏହି ସମୟରେ ଏହି ତେଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ସପ୍ତାହରେ ଦୁଇଥର ଅଖରୋଟ ତେଲ ଲଗାଇଲେ କେଶରେ ବହୁ ପାର୍ଥକ୍ୟ ଦେଖାଯିବ ।

ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ରହିଥାଏ । ଏହି ଋତୁରେ କେଶ ଶୁଷ୍କ ହୋଇଯାଇଥାଏ,ଯାହାଫଳରେ କେଶ ଝଡିବା ସମସ୍ୟା ବଢିଯାଇଥାଏ । ଏପରି ପରିସ୍ଥିତିରେ ଅଖରୋଟ ତେଲ ବହୁ ଲାଭଦାୟକ ପ୍ରମାଣିତ ହୋଇଥାଏ । କାରଣ ଏହି ତେଲରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ ଯାହା ତ୍ୱଚାକୁ ସୁସ୍ଥ ରଖିଥାଏ । ଏଥିପାଇଁ ରାତିରେ ତେଲ ଲଗାଇ ସକାଳେ ଧୋଇଦିଅନ୍ତୁ ।

କେଶକୁ ଘନ ଏବଂ ଶକ୍ତିଶାଳୀ କରିବା ପାଇଁ ଏହି ତେଲ ଲଗାଇବା ଉଚିତ । କାରଣ ଅଖରୋଟ ତେଲ କେଶକୁ ପୋଷଣ ଦେଇଥାଏ ଏବଂ ଝଡିବାରୁ ରୋକିଥାଏ ।