Below header

ଜଣାଶୁଣା ୟୁଟ୍ୟୁବର ଫରମାନୀ ନାଜଙ୍କ ଘର ପୋଖରୀରୁ ମିଳିଲା ୧.୫ କ୍ୱିଣ୍ଟାଲ ଚୋରି ଲୁହାଛଡ଼; ବାପା ଓ ଭିଣୋଇ ଫେରାର୍‌

ଜଣାଶୁଣା ୟୁଟ୍ୟୁବର ଫରମାନୀ ନାଜଙ୍କ ଘର ପୋଖରୀରୁ ମିଳିଲା ୧.୫ କ୍ୱିଣ୍ଟାଲ ଚୋରି ଲୁହାଛଡ଼। ନାଜଙ୍କ ପରିବାର ଚୋରି କରିଥିବା ଲୁହାଛଡ଼ଗୁଡ଼ିକୁ ଉତ୍ତର ପ୍ରଦେଶ ମୁଜଫର୍‌ନଗରରେ ନିଜ ଘର ପାଖ ପୋଖରୀରେ ଲୁଚାଇ ରଖିଥିଲେ। ଖବର ପାଇ ମଙ୍ଗଳବାର ସ୍ଥାନୀୟ ଥାନା ପୋଲିସ ମୁଜଫର୍‌ନଗରର ମହମ୍ମଦ ଲୋହଡ୍ଡା ଗାଁରେ ପହଞ୍ଚିଥିଲା ଏବଂ ଚୋରି ହୋଇଥିବା ୧.୫ କ୍ୱିଣ୍ଟାଲ ଲୁହାଛଡ଼କୁ ଜବତ କରିଥିଲା। ପୋଲିସର କହିବା ହେଲା, ଫରମାନୀଙ୍କ ବାପା ଆରିଫ୍‌ ଓ ଭିଣୋଇ ଇରଶାଦଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ଲୁହାଛଡ଼ ଚୋରି ମାମଲାରେ ମୁଜଫର୍‌ନଗର ନିବାସୀ ଫରମାନୀ ନାଜଙ୍କ ଭାଇ ଅରମାନଙ୍କ ସମେତ ୮ ଜଣଙ୍କୁ ପୋଲିସ ଜେଲ୍‌ ପଠାଇଛି। କିନ୍ତୁ ଏହି ଘଟଣାରେ ଫେରାର୍‌ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ମଙ୍ଗଳବାର ମୁଜଫର୍‌ନଗରରେ ଚଢ଼ାଉ କରିଥିଲା। ଫେରାର୍‌ ଦୁଇ ଅଭିଯୁକ୍ତ ହେଲେ ଫରମାନୀଙ୍କ ବାପା ଆରିଫ୍‌ ଓ ଭିଣୋଇ ଇରଶାଦ। ଏମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କହିଛି।

ପୋଲିସ ଦାବି କରିଛି ଯେ ଏହି ଗ୍ୟାଙ୍ଗ୍‌ର ବଡ଼ ନେଟ୍‌ଓ୍ଵାର୍କ ରହିଛି। ପୋଲିସ ଏହାର ପତ୍ତା ଲଗାଇବା ପାଇଁ ଉଦ୍ୟମ ଚଳାଇଛି। ସ୍ଥାନୀୟ ପୋଲିସ ଏହି ଗ୍ୟାଙ୍ଗ୍‌ର ଖୁଲାସା କରିଥିଲା। ପୋଲିସର କହିବା ହେଲା କି, ୟୁଟ୍ୟୁବର ଫରମାନୀ ନାଜଙ୍କ ବାପା ଆରିଫ, ଭିଣୋଇ ଇରଶାଦ ଓ ଭାଇ ଅରମାନ ଏକ ଗ୍ୟାଙ୍ଗ୍‌ କରି ଏଭଳି କାଣ୍ଡ ଘଟାଇଥିଲେ।

ଆରମାନ ଜେଲ ଯିବା ପୂର୍ବରୁ ପୋଲିସକୁ କହିଥିଲେ କି, ତାଙ୍କ ଘର ପାଖ ପୋଖରୀରେ ଚୋରି ଲୁହାଛଡ଼କୁ ଲୁଚାଯାଇଛି। ଖବର ପାଇ ପୋଲିସ ପହଞ୍ଚି ପୋଖରୀରୁ ଲୁହାଛଡ଼ ଜବତ କରିଥିଲା। ଏହି ସମୟରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୋଲିସ ଜବତ ଲୁହାଛଡ଼ ନେଇ ମେରଠ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.