୧୧ ମଦୁଆ ଡ୍ରାଇଭରଙ୍କୁ ମିଳିଲା ଅଜବ ପ୍ରକାର ଦଣ୍ଡ; ଅଧ ରାତିରେ ସଫେଇ କଲେ ମୁର୍ଦ୍ଦାଘର! ଜାଣନ୍ତୁ କାହିଁକି ପୋଲିସ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ଦୁନିଆର ପ୍ରାୟତଃ ସବୁ ଦେଶରେ ‘ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌’ ବ୍ୟାନ କରାଯାଇଛି। କାହିଁକି ନା, ମଦ ନିଶାରେ ମଣିଷର ଧ୍ୟାନ ବିଭ୍ରାନ୍ତ ହୋଇଥାଏ। ସେ ହୋଶ୍‌ରେ ରୁହେ ନାହିଁ। ଏମିତିରେ ଜଣେ ନିଶାସକ୍ତ ଅବସ୍ଥାରେ କେମିତି ବା ଗାଡ଼ି ଚଲାଇ ପାରିବ? ଯଦ୍ଦ୍ଵାରା କି, ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ଥାଏ। ଟିକିଏ ଅସାବଧାନତା ହେଲେ ଡ୍ରାଇଭର ସହିତ ରାସ୍ତାରେ ଯାଉଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇପାରେ। ପ୍ରତ୍ୟେକ ଦେଶରେ ‘ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ’କୁ ନେଇ ଭିନ୍ନ ଭିନ୍ନ ନିୟମ ରହିଛି। ଯଦିଓ ଜରିମାନା ଓ ଜେଲ ଦଣ୍ଡ ଭୋଗିବାର ନିୟମ ଥିଲେ ମଧ୍ୟ କିଛି ଲୋକ ଏହାକୁ ମାନୁ ନାହାନ୍ତି ଏବଂ ମଦ ପିଇ ମନଇଚ୍ଛା ଗାଡ଼ି ଚଲାଉଛନ୍ତି।

ଏମିତି ହିଁ କିଛି ବେପରୁଆ ଲୋକଙ୍କୁ ଶିକ୍ଷା ଦେବା ପାଇଁ ତାଇୱାନ ପୋଲିସ ଏକ ଅଦ୍ଭୁତ ଉପାୟ ଆପଣାଇଛି। ଏଠାରେ ‘ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ୍‌’ କରୁଥିବା ଲୋକଙ୍କୁ ଜରିମାନା ଏବଂ ଜେଲ ଦଣ୍ଡ ତ ମିଳୁଛି, ତା’ ସହିତ ଏକ ଭିନ୍ନ ଧରଣର ଦଣ୍ଡ ମଧ୍ୟ ଦିଆଯାଉଛି। ଯାହା ପରେ କୌଣସି ବି ବ୍ୟକ୍ତି ଏମିତି କରିବା ପୂର୍ବରୁ ନିଶ୍ଚୟ ଭୟ କରିବାକୁ ଲାଗିବ। ନିକଟରେ ତାଇୱାନ ପୋଲିସ ଦ୍ୱାରା ଦିଆଯାଇଥିବା ଏମିତି ହିଁ ଏକ ଦଣ୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ମୁତାବକ, ତାଇୱାନ ପୋଲିସ ନିକଟରେ ଏଠାକାର ରାସ୍ତାରେ ମଦ ପିଇ ଗାଡ଼ି ଚଲାଉଥିବା ପାଖାପାଖି ୧୧ ଲୋକଙ୍କୁ ଧରିଥିଲା। ଏହାପରେ ପୋଲିସ ଯାହା କରିଥିଲା, ତାହା ଭାଇରାଲ ହୋଇ ଯାଇଥିଲା। ପୋଲିସ ସମସ୍ତଙ୍କୁ ଧରି ଏକ ହସ୍ପିଟାଲ ନେଇ ଯାଇଥିଲା। ସେଠାରେ ମଧ୍ୟରାତ୍ରିରେ ଏହି ମଦୁଆ ଡ୍ରାଇଭରମାନଙ୍କୁ ମୁର୍ଦ୍ଦାଘର ସଫେଇରେ ଲଗାଯାଇଥିଲା ଏହି ଅଜବ ଦଣ୍ଡ ଭୋଗିବା ବେଳେ ଅନେକ ମଦ୍ୟପ ଡ୍ରାଇଭରଙ୍କ ହାତ, ଗୋଡ଼ ଥରିବାକୁ ଲାଗିଥିଲା। କିଛି ଡ୍ରାଇଭର ଆଗକୁ ଏମିତି କେବେ କରିବେ ନାହିଁ ବୋଲି ଶପଥ ମଧ୍ୟ ନେଇଥିଲେ।

କହି ରଖୁଛୁ ଯେ ଗତ କିଛି ଦିନରୁ ଏଠାରେ ‘ଡ୍ରିଙ୍କ୍‌ ଆଣ୍ଡ ଡ୍ରାଇଭ’ ମାମଲାରେ ବହୁତ ବୃଦ୍ଧି ଦେଖା ଦେଇଛି। ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ଏହା ପରଠାରୁ ତାଇୱାନର କୋଶିଓଙ୍ଗ୍‌ ସହରର ମେୟର ଘୋଷଣା କରିଥିଲେ କି, ଯିଏ ବି ମଦ ପିଇ ଗାଡ଼ି ଚଲାଉଥିବାର ନଜର ଆସିବେ, ତାଙ୍କୁ ଧରାଯାଇ ସ୍ଥାନୀୟ ହସ୍ପିଟାଲ ନିଆଯିବ ଏବଂ ସେଠାରେ ତାଙ୍କ ଦ୍ୱାରା ମୁର୍ଦ୍ଦାଘର ସଫେଇ କରାଯିବ। ତେବେ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି କ୍ରିଏଟିଭ ଦଣ୍ଡକୁ ବେଶ୍‌ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.