ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା ବସ୍, ୧୨ ମୃତ ; ୧୪ ଆହତ

ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା ବସ୍ । ୧୨ ଜଣଙ୍କର ଯାଇଛି ଜୀବନ । ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଛତିଶଗଡ଼ (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସିଲା ବସ୍ ।  ଦୁର୍ଘଟଣା ନେଇଛି ୧୨ ଜଣଙ୍କର ଜୀବନ ।  ଆହତ ହୋଇଛନ୍ତି ୧୪ ଜଣ । ଛତିଶଗଡ଼ ଦୁର୍ଗ ଜିଲ୍ଲା କୁମ୍ଭାରୀ ଖପରି ରୋଡରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଖାଇ ଭିତରେ ଖସି ପଡ଼ିଥିଲା ବସ୍ । ଆହତଙ୍କ ଭିତରେ ୮ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ରାତିରେ ଦୁର୍ଘଟଣା ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଥିଲା । ଟର୍ଚ୍ଚ ଓ ମୋବାଇଲ୍ ଫୋନ୍ ଲାଇଟରେ ବସରୁ ଆହତଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଉଦ୍ଧାରକାରୀ ଟିମ୍ । ଗୁରୁତରଙ୍କୁ ରାୟପୁର ଏମସରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଏକ ଘରୋଇ କମ୍ପାନୀର ୪୦ ଜଣ କର୍ମଚାରୀଙ୍କୁ ନେଇ ବସଟି ଯାଉଥିଲା ।  ରାତି ସାଢ଼େ ୮ଟା ବେଳେ କୁମ୍ଭାରୀ ଖପରି ରୋଡରେ ଥିବା ମୋରମ୍ ଖଣି ନିକଟରେ ଭୟଙ୍କର ଦୁର୍ଘଟଣାର ସାମନା କରିଥିଲା । ଭାରସାମ୍ୟ ହରାଇ ବସଟି ଖାଇରେ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କେମିତି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ଘଟିଲା ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ରାୟପୁର ଏମସରେ ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.