ଯମୁନା ସିଟିରେ ତିଆରି ହେବ ଭଗବାନ ଶ୍ରୀକୃଷ୍ଣଙ୍କର ସବୁଠୁ ବଡ଼ ମୂର୍ତ୍ତି, ଟ୍ରେନ୍‌ରେ ଯାତ୍ରା କରିବା ବେଳେ ବି ଦେଖିପାରିବେ ଲୋକେ

ଭାରତରେ ନିର୍ମାଣ ହେବ ବିଶ୍ୱର ସବୁଠୁ ଉଚ୍ଚ ଶ୍ରୀକୃଷ୍ଣ ମୂର୍ତ୍ତି। ଯମୁନା ପ୍ରାଧିକାରଣ କ୍ଷେତ୍ର ଅଧୀନସ୍ଥ ଗୌଡ଼ ଯମୁନା ସିଟିରେ ଶ୍ରୀକୃଷ୍ଣଙ୍କର ଏହି ୧୦୮ ଫୁଟ୍‌ ଉଚ୍ଚ ମୂର୍ତ୍ତି ନିର୍ମାଣ କରାଯିବ। ଏହି କୃଷ୍ଣ ମୂର୍ତ୍ତି ଏତେ ଉଚ୍ଚା ଯେ ଯମୁନା ଏକ୍ସପ୍ରେସ ୱେରେ ନୋଏଡ଼ା ଓ ଦିଲ୍ଲୀରୁ ମଥୁରା- ଆଗ୍ରା ଯାତ୍ରା କରୁଥିବା ଲୋକମାନେ ଏହି ମୂର୍ତ୍ତି ଦର୍ଶନ କରିପାରିବେ। କୁହାଯାଉଛି ଯେ କେବଳ ଏସିଆ ନୁହେଁ, ବରଂ ସାରା ବିଶ୍ୱରେ ଏହା ଶ୍ରୀକୃଷ୍ଣଙ୍କର ସବୁଠୁ ଉଚ୍ଚ ମୂର୍ତ୍ତି ହେବ। ମୂର୍ତ୍ତି ତଳେ ମନ୍ଦିର ମଧ୍ୟ ନିର୍ମାଣ କରାଯିବ। ଏହା ଉପରେ ମୂର୍ତ୍ତି ତିଆରି ହେବ।

ଭୂମିରୁ ଏହି ମୂର୍ତ୍ତିର ଉଚ୍ଚତା ୧୩୫ ଫୁଟ୍‌ ରହିବ। ପ୍ରାୟ ୩ କୋଟି ୫୦ ଲକ୍ଷ ଅର୍ଥ ବ୍ୟୟରେ ଏହି ମୂର୍ତ୍ତି ନିର୍ମିତ ହେବ। ଶ୍ରୀକୃଷ୍ଣଙ୍କର ଏହି ମୂର୍ତ୍ତିରେ ସୁନେଲି ରଙ୍ଗର ମୁକୁଟ ଲଗାଯିବ। ମୂର୍ତ୍ତିରେ ଶ୍ରୀକୃଷ୍ଣ ହାତରେ ବଂଶୀ ଧରି ଗୋଡ଼ ଛନ୍ଦି ଠିଆ ହୋଇଥିବା ମୁଦ୍ରାରେ ନଜର ଆସିବେ। ମୂର୍ତ୍ତିର ଅନାବରଣ ଓ ମନ୍ଦିରର ଉଦ୍‌ଘାଟନ ଜନ୍ମାଷ୍ଟମୀରେ କରାଯିବାକୁ ପ୍ରସ୍ତୁତି ଚାଲିଛି।

ମୂର୍ତ୍ତିର ନିର୍ମାଣ ରାଜସ୍ଥାନର କାରିଗରମାନେ କରିବେ। ରାଜସ୍ଥାନର ଜୟପୁରର ମୂର୍ତ୍ତିକାର ବିଷ୍ଣୁ ପ୍ରକାଶ ଶର୍ମା ଏହାକୁ ଡିଜାଇନ୍‌ କରୁଛନ୍ତି। ମୂର୍ତ୍ତି ନିର୍ମାଣରେ କଂକ୍ରିଟ୍‌ ଓ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ ବ୍ୟବହାର କରାଯାଉଛି। ମୂର୍ତ୍ତି ଉପରେ ୱେଦର ପ୍ରୁଫ୍‌ ପେଣ୍ଟ କରାଯିବ। ଫଳରେ ଖରା, ବର୍ଷା, ଶୀତରେ ମଧ୍ୟ ଏହାର ରଙ୍ଗ ପ୍ରଭାବିତ ହେବନାହିଁ।

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କରାଯାଉଛି। ଭଗବାନ ରାମଙ୍କର ଏହି ପ୍ରତିମା ଦୁନିଆର ସବୁଠୁ ଉଚ୍ଚ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.