କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି, ସରକାରୀ କାମରେ ବ୍ୟବହୃତ ହେଉଥିବା ୧୫ ବର୍ଷ ପୁରୁଣା ଗାଡି ରାସ୍ତାରୁ ହଟିବ

ସରକାର କାମରେ ବ୍ୟବହୃତ ହେଉଥିବା ୧୫ ବର୍ଷ ପୁରୁଣା ଗାଡି ରାସ୍ତାରୁ ହଟିବ। ସରକାର ନେଲେ ନୂଆ ନିଷ୍ପତ୍ତି । ଆଉ ସରକାରୀ କାର୍ଯ୍ୟରେ ବ୍ୟବହୃତ ହେଉଥିବା ପୁରୁଣା ଗାଡି ସବୁ ଚିହ୍ନଟ କରାଯିବ । ସମସ୍ତ ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପ୍ ପଲିସି ଅନ୍ତର୍ଭୁକ୍ତ କରାଯିବ । ଏନେଇ ସ୍ବତନ୍ତ୍ର ନିୟମ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ଘରୋଇ ଯାନ ଭଳି ସରକାରୀ ଗାଡ଼ି ଗୁଡ଼ିକ ମଧ୍ୟ ସ୍କ୍ରାପ୍ ପଲିସି ଅନ୍ତର୍ଭୁକ୍ତ ହେବ ।

କେନ୍ଦ୍ର ପରିବହନ ମନ୍ତ୍ରୀ ନାଗପୁରରେ ଆରମ୍ଭ ହୋଇଥିବା ଆଗ୍ରୋ ଭିଜନ କୃଷି ପ୍ରଦର୍ଶନୀର ଉଦ୍‌ଘାଟନ ଉତ୍ସବରେ ଏହା ଘୋଷଣା କରିଛନ୍ତି। ଭାରତ ସରକାରରେ ବ୍ୟବହୃତ ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ସ୍କ୍ରାପ୍‌ ପଲିସିରେ ଅନ୍ତର୍ଭୁକ୍ତ କରାଯାଇଛି। ଏ ନୀତି ବିଷୟରେ ସମସ୍ତ ରାଜ୍ୟକୁ ଅବଗତ କରିଦିଆଯାଇଛି ।

ଗଡକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଏକ ଫାଇଲରେ ସ୍ୱାକ୍ଷର କରାଯାଇଛି । ଆଉ ସେଥିରେ ଲେଖାଯାଇଛି କି, ୧୫ ବର୍ଷର ପୁରୁଣା ଗାଡିକୁ ଆଉ ସରକାରୀ କାର୍ଯ୍ୟରେ ଲଗାଯିବନି। ଏହା ପ୍ରତି ରାଜ୍ୟରେ ଲାଗୁ କରାଯିବ। ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ିକୁ ନେଇ କେନ୍ଦ୍ର ସରକାର ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରିଛନ୍ତି । ଏହି ପଲିସିକୁ ସମସ୍ତ ରାଜ୍ୟକୁ ପଠାଇଯାଇଥିବାବେଳେ ରାଜ୍ୟ ସରକାରମାନେ ନୀତିକୁ ଆପଣାଇବାକୁ କୁହାଯାଇଛି ବୋଲି ଗଡ଼କରୀ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ସ୍କ୍ରାପ୍ ପଲିସି ନୀତି ଅନୁଯାୟୀ, ୧୫ ବର୍ଷ ପୁରୁଣ ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ ରଦ୍ଦ କରାଯିବ । ପ୍ରଦୂଷଣ ହ୍ରାସ କରିବା ପାଇଁ ଏହି ନୀତି ଆପଣାଇଛନ୍ତି ସରକାର । ୧୫ ବର୍ଷ ପୁରୁଣା କମର୍ସିଆଲ୍‌ ଗାଡ଼ି ଓ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ିର ଫିଟ୍‌ନେସ୍‌ ଜରୁରୀ । ଏଥିରେ ପାସ୍‌ ହେଲେ ପୁରୁଣା ଗାଡ଼ି ରିନ୍ୟୁ ହେବା ସହ ଫିଟ୍‌ନେସ୍‌ ଫେଲ୍‌ ଗାଡ଼ିକୁ କବାଡିରେ ଦିଆଯିବ । କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟ ବିଭାଗର ୧୫ ବର୍ଷ ପୁରୁଣା ଗାଡ଼ିକୁ ରିନ୍ୟୁ ହେବନାହିଁ । ଏହାକୁ କବାଡ଼କୁ (ସ୍କ୍ରାପ୍‌କୁ) ଦିଆଯିବ । ପୁରୁଣା ଗାଡ଼ି ସ୍କ୍ରାପ୍‌କୁ ଦେଲେ ନୂଆ ଗାଡ଼ି ର ଏକ୍ସ ଶୋରୁମ୍‌ ରାଶି ଉପରେ ୪ ରୁ ୬ % ରିହାତି ମିଳିବ । ରେଜିଷ୍ଟେଡ୍‌ ସ୍କାପ୍‌ ସେଣ୍ଟରରେ ଗାଡ଼ି ଦେଲେ ଇନ୍‌ସେଟିଭ୍‌ ସହ ଏକ ସାର୍ଟିଫିକେଟ୍‌ ମିଳିବ । ଏହି ସାର୍ଟିଫିକେଟ୍‌ ଦେଖାଇଲେ କାର୍‌ କମ୍ପାନୀ ୫% ପର୍ଯ୍ୟନ୍ତ ରିହାତି ଦେବ । ସ୍କ୍ରାପିଂ ସାର୍ଟିଫିକେଟ୍‌ ଦାଖଲ କଲେ ନୂଆ ଗାଡ଼ିର ରେଜିଷ୍ଟ୍ରେସନ୍‌ ଫିସ୍‌ ମଧ୍ୟ ଛାଡ଼ କରାଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.