ପାକିସ୍ତାନ : ଇଦ୍ ପାଇଁ ଦରଗାକୁ ଯାଉଥିବା ତୀର୍ଥଯାତ୍ରୀ ବସ୍ ଖାଇକୁ ଓଲଟିଲା, ୧୭ ମୃତ
ପାକିସ୍ତାନର ସିନ୍ଧ ଏବଂ ବଲୁଚିସ୍ତାନରେ ବସ୍ଟି ଖାଇକୁ ଖସିପଡିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀ ବଲୁଚିସ୍ତାନର ଖୁଜଦାର ଜିଲ୍ଲାରେ ମୁଲସିମ ସୁଫି ଦରଗା ଶାହ ନୁରାନୀକୁ ଯାଉଥିଲେ ।

ପାକିସ୍ତାନର ସିନ୍ଧ ଏବଂ ବଲୁଚିସ୍ତାନ ପ୍ରାନ୍ତର ସୀମାବର୍ତ୍ତୀ ସହର ପାଖରେ ତୀର୍ଥଯାତ୍ରୀ ବସ୍ ଖାଇକୁ ଖସିପଡିଛି । ବସ୍ଟି ଖାଇକୁ ଖସିପଡିବା ଯୋଗୁଁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀ ବଲୁଚିସ୍ତାନର ଖୁଜଦାର ଜିଲ୍ଲାରେ ମୁଲସିମ ସୁଫି ଦରଗା ଶାହ ନୁରାନୀକୁ ଯାଉଥିଲେ । ଏହି ସମୟରେ ବସ୍ ଖାଇକୁ ଖସିପଡିଥିଲା । ଇଦ୍ ଖୁସିରେ ଲାଗିଗଲା ଗ୍ରହଣ । ଖୁସି ସଙ୍ଗେ ସଙ୍ଗେ ଦୁଃଖରେ ପରିଣତ ହୋଇଯାଇଥିଲା ।
ଦୁର୍ଘଟଣା କରାଚୀ ଠାରୁ ୧୦୦ କିମି ଦୂର ସ୍ଥାନରେ ହୋଇଛି । ଗୃହ ମନ୍ତ୍ରୀ ମୋହସିନ ନକବୀ ଏହି ଘଟଣାରେ ସମବେଦନା ଜଣାଇବା ସହିତ କହିଛନ୍ତି, ଗାଡି ଡ୍ରାଇଭର ଏକ ମୋଡରେ ନିୟନ୍ତ୍ରଣ ହରାଇବାରୁ ଖାଇରେ ବସ୍ଟି ଖସିପଡିଥିଲା । ସମସ୍ତ ଯାତ୍ରୀ ସିନ୍ଧ ପ୍ରଦେଶର ଥଟ୍ଟା ସହରର ବାସିନ୍ଦା । ଗାଡିଟି ବୁଧବାର ଅପରାହ୍ନ ୨ଟା ସମୟରେ ଥଟ୍ଟାରୁ ବାହାରିଥିଲା । କିନ୍ତୁ ରାତି ୮ଟା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା ।
ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ମୃତକ ଏବଂ ଆହତଙ୍କୁ କରାଚୀ ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହର ପରିଚୟ ମିଳିଛି । ଏମାନଙ୍କ ମଧ୍ୟରୁ କେତେକ ଗୋଟିଏ ପରିବାରର ଥିଲେ । ଖରାପ ରାସ୍ତା, ସଚେତନତା ଅଭାବରୁ ପାକିସ୍ତାନରେ ପ୍ରତିଦିନ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟୁଛି । ତେବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।