ଦିଲ୍ଲୀ: ସ୍କୁଲ ପାର୍କିଂରେ ହୁତୁ ହୁତୁ ହୋଇ ଜଳିଲା ଦୁଇଟି ବସ୍, ନିଆଁକୁ ଆୟତ୍ତ କଲା ୮ ଦମକଳ ଗାଡ଼ି
ଦିଲ୍ଲୀରେ ଏକ ଘରୋଇ ସ୍କୁଲ ପରିସର ପାର୍କିଂରେ ରବିବାର ବଡ଼ ଅଗ୍ନିକାଣ୍ଡ ଘଟିଛି । ଏଠାରେ ରହିଥିବା ଦୁଇଟି ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଦିଲ୍ଲୀରେ ଏକ ଘରୋଇ ସ୍କୁଲ ପରିସର ପାର୍କିଂରେ ରବିବାର ବଡ଼ ଅଗ୍ନିକାଣ୍ଡ ଘଟିଛି । ଏଠାରେ ରହିଥିବା ଦୁଇଟି ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଅତ୍ୟନ୍ତ ଭୟାବହ ଥିଲା । ସ୍କୁଲ ବିଲ୍ଡିଂର ଉଚ୍ଚତା ପର୍ଯ୍ୟନ୍ତ ନିଆଁର ତେଜ ପହଞ୍ଚୁଥିଲା । ଆଶସ୍ତିକର କଥା ଯେ ରବିବାର ସ୍କୁଲ ଛୁଟି ଥିବାରୁ ସମ୍ଭାବ୍ୟ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । କୁହାଯାଉଛି ଯେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ସ୍କୁଲ ପରିସର ପାର୍କିଂରେ ଏହି ଘଟଣା ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ମିଳିଥିବା ସୂଚନା ମୁତାବକ, ଦିଲ୍ଲୀ ଅଗ୍ନିଶମ ବିଭାଗ ଅଫିସ୍କୁ ରବିବାର ଅପରାହ୍ନ ୨ଟା ୫୩ ମିନିଟ୍ରେ ଏକ କଲ୍ ଆସିଥିଲା । ଏଥିରେ କୁହାଯାଇଥିଲା କି, ଦ୍ୱାରକା ସେକ୍ଟର-୯ସ୍ଥିତ ଆର୍ଡି ପବ୍ଲିକ ସ୍କୁଲ ପରିସରରେ ନିଆଁ ଲାଗିଛି । ଏହି ସୂଚନା ପାଇ ଅଗ୍ନିଶମ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲା ।
ବସ୍ ଦୁଇଟିରେ ଲାଗିଥିଲା ନିଆଁ ବହୁ ଉଚ୍ଚତା ପର୍ଯ୍ୟନ୍ତ ଉଠୁଥିବାର ଦେଖାଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା । ବସ୍ରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଲିଭାଇବା ପାଇଁ ୮ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ହୋଇଥିଲା ।
ଅଗ୍ନିଶମ ଟିମ୍ର ଜଣେ ଅଧିକାରୀଙ୍କ ଅନୁସାରେ, ନିଆଁ ସଂସ୍ପର୍ଶରେ ଆସି ବସ୍ ଦୁଇଟି ହୁତୁ ହୁତୁ ହୋଇ ଜଳୁଥିଲା । ଏହାକୁ ଆୟତ୍ତ କରିବା ପାଇଁ ୮ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା । ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା । ତେବେ ସ୍କୁଲ ପରିସରରେ ରଖାହୋଇଥିବା ବସ୍ରେ କିପରି ନିଆଁ ଲାଗିଲା, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ଅନ୍ୟପଟେ ଗତକାଲି ସକାଳେ ଦିଲ୍ଲୀର ଆଇଟିଓ ନିକଟରେ ଏକ ସ୍କୁଲ ବସ୍ ସ୍କୁଟି ଓ ଅଟୋକୁ ଧକ୍କା ଦେଇଥିଲା । ଏହି ଭୀଷଣ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ସୂଚନା ଅନୁସାରେ, ଲକ୍ଷ୍ମୀ ନଗରରୁ ଆସୁଥିବା ଏହି ସ୍କୁଲ ବସ୍ ହଠାତ୍ ଅନିୟନ୍ତ୍ରିତ ହୋଇ ଏକ ସ୍କୁଟି ଏବଂ ଅଟୋକୁ ପଛପଟୁ ଧକ୍କା ଦେଇଥିଲା ।