କିଏ ବାହା ହେବ ? ଦୁଇ ମହିଳାଙ୍କ ଭିତରେ ଟଣା ଓଟରା, ବିଷ ପିଇ ଜୀବନ ହାରିଲେ କନେଷ୍ଟବଳ

କୋହ୍ଲାପୁର : କଥାରେ ଅଛି ଦୁଇ ନାଆରେ ଗୋଡ଼ ଦେଲେ ବୁଡ଼ିବା ସୁନିଶ୍ଚିତ । ହେଲେ ବ୍ୟକ୍ତିଜଣକ ୩ ନାଆରେ ଗୋଡ଼ ଦେଇଥିଲେ । ଯାହାର ପରିଣାମ ହେଲା  ମୃତ୍ୟୁ । ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ର କୋହ୍ଲାପୁରରେ । ଜଣେ ପୋଲିସ୍ କନେଷ୍ଟବଳ ଦୁଇ ଜଣ ମହିଳା କନେଷ୍ଟବଳଙ୍କ ସହ ସମ୍ପର୍କ ରଖିଥିଲେ । ଉଭୟ ତାଙ୍କୁ ବାହା ହେବା ପାଇଁ ଜିଦ୍ ଧରିଲେ । ଶେଷରେ କୌଣସି ଉପାୟ ନପାଇ ବିଷ ପିଇ ଦେଲେ କନେଷ୍ଟବଳ ଜଣକ । ଏଇ ଘଟଣା ପରେ ଦୁଇ ମହିଳା କନେଷ୍ଟବଳଙ୍କୁ ପୋଲିସ୍ ଗିରଫ କରିଛି । ମୃତକଙ୍କ ବୟସ ୪୨ ବର୍ଷ । ସେ ବିବାହିତ । ତାଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ଦୁଇ ମହିଳା କନେଷ୍ଟବଳଙ୍କୁ ପୋଲିସ୍ ଗିରଫ କରି ମାମଲାର ତଦନ୍ତ କରୁଛି ।

କୋହ୍ଲାପୁର ରାଜାରାମପୁରୀ ଅଞ୍ଚଳରେ ଏଇ ଘଟଣା ଘଟିଛି । ପୁରୁଷ କନେଷ୍ଟବଳ ଜଣକ ଦୁଇ ମହିଳା କନେଷ୍ଟବଳଙ୍କ ସହ ଗାନ୍ଧୀନଗର ଥାନାରେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସାଙ୍ଗ ହୋଇ କାମ କରୁଥିଲେ । ଏତିକି ବେଳେ ସେମାନଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ପରବର୍ତ୍ତୀ ସମୟରେ ଦୁଇ ମହିଳାଙ୍କ ଭିତରେ ଚାଲିଲା ବିବାଦ । ଜଣେ କହିଲା ମୁଁ ବାହା ହେବି । ଆଉ ଜଣେ କହିଲା ମୁଁ ବାହା ହେବି । ଏଭଳି ସ୍ଥିତି କନେଷ୍ଟବଳଙ୍କୁ ଭୀଷଣ ଚିନ୍ତାରେ ପକାଇ ଦେଇଥିଲା । ଏମିତିକି ଜଣେ ମହିଳା କନେଷ୍ଟବଳ ସ୍ତ୍ରୀକୁ ଛାଡ଼ପତ୍ର ଦେଇ ତାକୁ ବିବାହ କରିବାକୁ ଧମକାଇଥିଲେ । ଏଭଳି ଟଣା ଓଟରା ଭିତରେ ସେ ଅତିଷ୍ଠ ହୋଇ ବିଷ ପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍ ଆଇପିସି ଧାରା ୩୦୬, ୫୦୪ ଓ ୫୦୬ ଦଫା ଲଗାଇଛି ।

Leave A Reply

Your email address will not be published.