ଡ୍ୟାନ୍ସିଂ ଓ ମଡେଲିଂ କରୁଥିଲା ଭଉଣୀ; ସମ୍ପର୍କୀୟ ପଠାଇଦେଲେ ଭିଡିଓ…! ଆଉ ତା’ ପରେ କ୍ରୋଧିତ ଭାଇ ନେଇଗଲା ଚରମ ନିଷ୍ପତ୍ତି

ଆଜିକାଲି ସମାଜରେ ଦିନକୁ ଦିନ ବଢ଼ି ଚାଲିଛି ଅନରକିଲିଂ ମାମଲା। ନିଜ ଲୋକ ହିଁ ନିଜ ଲୋକଙ୍କର ଶତ୍ରୁ ପାଲଟୁଛନ୍ତି। ଘଟଣା ଯେମିତି ବି ଥାଉ, କ୍ରୋଧ ମଣିଷକୁ ଅନ୍ଧ କରି ଦେଉଛି। ରକ୍ତ ସମ୍ପର୍କକୁ ଭୁଲି ଯାଇ ଜୀବନ ନେବାକୁ ପଛାଉ ନାହାନ୍ତି ପରିବାର ଲୋକେ। ନିଜର ହିଁ ଲୋକଟିକୁ ଅତି ନିର୍ମମ ଭାବରେ ହତ୍ୟା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ଏମାନେ।

ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଆସିଛି ଅନର୍‌କିଲିଂର ଏକ ହୃଦୟବିଦାରକ ମାମଲା। ଏଠାରେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭାଇ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡ଼ିଛି ଯେ ଯୁବତୀ ଜଣକ ଡ୍ୟାନ୍ସିଂ ଏବଂ ମଡେଲିଂ କରୁଥିଲେ, ଯେଉଁ କାରଣରୁ ତାଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ପୋଲିସ ସୂଚନା ମୁତାବକ, ଯୁବତୀ ଲାହୋରଠାରୁ ୧୩୦ କିଲୋମିଟର ଦୂରରେ ଥିବା ଏକ ସ୍ଥାନୀୟ ପୋଷାକ ବ୍ରାଣ୍ଡ ପାଇଁ ମଡେଲିଂ କରୁଥିଲେ ଏବଂ ନିଜ ପରିବାର ବିରୋଧରେ ଯାଇ ଥିଏଟରରେ ନୃତ୍ୟ ପ୍ରଦର୍ଶନ କରୁଥିଲେ।

ତେବେ ଯୁବତୀଙ୍କ ବାପା, ମାଆ ଏହା ପରମ୍ପରା ବିରୋଧୀ ବୋଲି କହି ଝିଅକୁ ବୃତ୍ତି ଛାଡିବାକୁ ବାଧ୍ୟ କରିଥିଲେ ମଧ୍ୟ ସେ ଏଥିରେ ଆଦୌ କର୍ଣ୍ଣପାତ କରି ନ ଥିଲେ ଏବଂ ଏହାକୁ ଜାରି ରଖିବାକୁ ଜିଦ୍ ଧରିଥିଲେ। ମୃତା ଯୁବତୀଙ୍କ ନାଁ ସିଦ୍‌ରା ବୋଲି ଜଣାପଡ଼ିଛି। ପୋଲିସ କହିଛି ଯେ ସିଦ୍‌ରା ଗତ ସପ୍ତାହରେ ନିଜ ପରିବାର ସହିତ ଇଦ୍ ପାଳନ କରିବା ପାଇଁ ଫୈସଲାବାଦରୁ ଘରକୁ ଆସିଥିଲେ। ଏହି ସମୟ ଭିତରେ ବାପା, ମାଆ ଓ ଭାଇ ମିଶି ତାଙ୍କ ବୃତ୍ତିକୁ ନେଇ ପୁଣି ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ। ଏପରି କି, ନୃତ୍ୟ ଜାରି ରଖିଥିବାରୁ ଝିଅକୁ ନିର୍ଧୁମ ପିଟିଥିଲେ। ପୋଲିସ ସୂଚନା ମୁତାବକ, ଦିନକ ପରେ ଭାଇ ଜଣକ ସିଦ୍‌ରାଙ୍କ ଉପରକୁ ଗୁଳି ଚଳାଇଥିଲେ, ଯାହାଫଳରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ଘଟିଥିଲା।

ସେପଟେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଭାଇ ସେତେବେଳେ ଭଉଣୀ ସିଦ୍‌ରାଙ୍କ ଉପରେ ଅଧିକ ରାଗି ଯାଇଥିଲେ, ଯେତେବେଳେ କେହି ଜଣେ ସମ୍ପର୍କୀୟ ଅଭିଯୁକ୍ତଙ୍କ ପାଖକୁ ସିଦ୍‌ରାଙ୍କ ନୃତ୍ୟ ଭିଡିଓ ପଠାଇ ଦେଇଥିଲେ। ତେବେ ଅଭିଯୁକ୍ତ ନିଜେ ଆସି ପୋଲିସ ନିକଟରେ ଦୋଷ ସ୍ୱୀକାର କରିଥିବା ପୋଲିସ କହିଛି। ଅଭିଯୁକ୍ତ କହିଛନ୍ତି ଯେ ସେ କ୍ରୋଧରେ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.