ସଲମାନଙ୍କ ଫାର୍ମ ହାଉସ୍ରେ ଜବରଦସ୍ତ ପଶିବାକୁ ଚେଷ୍ଟା; ୨ ଜଣଙ୍କୁ ଗିରଫ କଲା ପୋଲିସ, ନକଲି ପରିଚୟ ପତ୍ର ଜବତ
ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପନ୍ଭେଲସ୍ଥିତ ଫାର୍ମ ହାଉସ୍ରେ ୨ ଜଣ ବ୍ୟକ୍ତି ଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଯଦିଓ ପଶିବା ପୂର୍ବରୁ ଫାର୍ମ ହାଉସ୍ର ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ ।

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ପନ୍ଭେଲସ୍ଥିତ ଫାର୍ମ ହାଉସ୍ରେ ୨ ଜଣ ବ୍ୟକ୍ତି ଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଯଦିଓ ପଶିବା ପୂର୍ବରୁ ଫାର୍ମ ହାଉସ୍ର ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ବ୍ୟକ୍ତିଦ୍ୱୟ ସଲମାନଙ୍କ ଫାର୍ମ ହାଉସ୍ର ତାରବାଡ଼ ଭାଙ୍ଗି ଭିତରେ ପଶିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେତେବେଳେ ଅଭିନେତା ଫାର୍ମ ହାଉସ୍ରେ ନ ଥିଲେ । ଏବେ ପୋଲିସ ସେମାନଙ୍କୁ ଗିରଫ କରିନେଇଛି ।
ପୋଲିସ କହିଛି, ଗିରଫ ବ୍ୟକ୍ତିମାନଙ୍କ ଗତିବିଧି ସନ୍ଦେହଜନକ ଥିଲା । କିନ୍ତୁ ପଚରାଉଚରା ବେଳେ ସେମାନେ ପୋଲିସକୁ ସଲମାନ ଖାନଙ୍କ ଫ୍ୟାନ୍ ବୋଲି କହିଛନ୍ତି । ପୋଲିସ ଉଭୟଙ୍କ ପାଖରୁ ନକଲି ଆଇଡି କାର୍ଡ ଜବତ କରିଛି । ଯଦିଓ ସେମାନଙ୍କ ନିକଟରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ । ପୋଲିସ ଏହି ମାମଲାର ତଦନ୍ତ କରୁଛି ।
ପୋଲିସ ସୂଚନା ମୁତାବକ, ଗିରଫ ବ୍ୟକ୍ତିଦ୍ୱୟ ହେଲେ, ଅଜେଶ କୁମାର ଗିଲ୍ ଓ ଗୁରୁସେବକ । ପଚରାଉଚରାରୁ ସେମାନେ ପଞ୍ଜାବ ଏବଂ ରାଜସ୍ଥାନର ବାସିନ୍ଦା ବୋଲି ଜଣାପଡ଼ିଛି । ଏବେ ପୋଲିସ ସେମାନଙ୍କୁ ଆହୁରି ପଚରାଉଚରା ଜାରି ରଖିଛି ଏବଂ ସଲମାନଙ୍କ ଫାର୍ମ ହାଉସ୍ ଭିତରେ ପଶିବାର ପ୍ରକୃତ କାରଣ ବିଷୟରେ ଜାଣିବାକୁ ଚେଷ୍ଟା ଚଳାଇଛି । ଏହାସହିତ ପୋଲିସ ନକଲି ଆଇଡି କାର୍ଡ ମିଳିବା କାରଣରୁ ଉଭୟଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।
ସୂଚନାଥାଉ କି, ଗତବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସଲମାନଙ୍କୁ ଅନେକ ବାର ହତ୍ୟା ଧମକ ଦେଇଥିଲା, ଯେଉଁ କାରଣରୁ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଥିଲା । ସଲମାନ ଖାନଙ୍କୁ ‘ଜେଡ୍ ପ୍ଲସ୍’ ସିକ୍ୟୁରିଟି ମିଳିଥିଲା ।