ଭାରତ-ନେପାଳ ସୀମାରୁ ଧରାପଡ଼ିଲେ ୩ ଆତଙ୍କବାଦୀ, ISI ଯୋଗାଯୋଗରେ କରୁଥିଲେ କାର୍ଯ୍ୟ

ଉତ୍ତର ପ୍ରଦେଶ ଏଟିଏସ୍ ଦୁଇ ପାକିସ୍ତାନୀ ନାଗରିକଙ୍କ ସମେତ ୩ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏହି ଆତଙ୍କବାଦୀମାନେ ISI ସହାୟତାରେ ଭାରତରେ ଆତଙ୍କୀ କାର୍ଯ୍ୟକଳାପ କରିବାକୁ ଯୋଜନା କରିଥିଲେ ।

ଉତ୍ତର ପ୍ରଦେଶ ଏଟିଏସ୍ ଦୁଇ ପାକିସ୍ତାନୀ ନାଗରିକଙ୍କ ସମେତ ୩ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏଟିଏସ୍‌କୁ ମିଳିଥିବା ଗୁଇନ୍ଦା ସୂଚନା ମୁତାବକ, ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଏଜେନ୍ସି ଆଇଏସ୍ଆଇ (ISI) ସହାୟତାରେ ଭାରତରେ ଆତଙ୍କୀ କାର୍ଯ୍ୟକଳାପ କରିବାକୁ ଯୋଜନା କରିଥିଲେ ।

ଏହି ତିନିଜଣଙ୍କୁ ଭାରତ-ନେପାଳ ସୀମା (ସୋନାଉଲି ସୀମା) ନିକଟରୁ ଗିରଫ କରାଯାଇଛି । ଏଟିଏସ୍ ଦ୍ୱାରା ଧରାପଡ଼ିଥିବା ୩ ଆତଙ୍କୀଙ୍କ ମଧ୍ୟରୁ ମହମ୍ମଦ ଅଲତାଫ ବଟ ହେଉଛନ୍ତି ପାକିସ୍ତାନ ରାୱଲପିଣ୍ଡିର ବାସିନ୍ଦା । ଏହିପରି ସୟଦ ଗଜନଫର ଇସଲାମାବାଦର ବାସିନ୍ଦା ହୋଇଥିବା ବେଳେ ନାସିର ଅଲି ହେଲେ ଜମ୍ମୁ-କାଶ୍ମୀରର ନିବାସୀ । ମହମ୍ମଦ ଅଲତାଫ ମୁଜାଫରବାଦସ୍ଥିତ ହିଜବୁଲ ମୁଜାହିଦ୍ଦିନଙ୍କ ଶିବିରରେ ତାଲିମ ନେଇଛନ୍ତି ।

ଅଲତାଫ ମୁଜାଫରବାଦ ଶିବିରରୁ ତାଲିମ ନେଇ ହିଜବୁଲଙ୍କ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗରେ କାର୍ଯ୍ୟ କରୁଥିଲେ । ହ୍ୟାଣ୍ଡେଲର ହିଁ ତାଙ୍କୁ ନେପାଳ ଦେଇ ଭାରତ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ । ନେପାଳର କାଠମାଣ୍ଡୁରେ ଆଇଏସଆଇ ହ୍ୟାଣ୍ଡଲର ମିଳିଥିଲେ, ଯିଏ ଅଲତାଫ ଓ ସୟଦ ଗଜନଫରଙ୍କୁ ନକଲି ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଦସ୍ତାବିଜ୍‌ ଯୋଗାଇ ଦେଇଥିଲେ । ଏହା ସାହାଯ୍ୟରେ ତିନିଜଣ ଭାରତରେ ପ୍ରବେଶ କରିଥିଲେ ।

ମଙ୍ଗଳବାର ରାତିରେ ମହାରାଜଗଞ୍ଜସ୍ଥିତ ଭାରତ-ନେପାଳର ସୋନାଉଲି ସୀମାରୁ ପ୍ରବେଶ କରୁଥିବା ତିନିଜଣ ସନ୍ଦିଗ୍ଧଙ୍କୁ ସୁରକ୍ଷା ବାହିନୀ କାବୁ କରିନେଇଥିଲେ । ପଚରାଉଚରା ପରେ ତିନିଜଣଙ୍କୁ ଲକ୍ଷ୍ନୌ ଏଟିଏସକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ସୋନାଉଲି ସୀମାରେ ଆଲର୍ଟ ଘୋଷଣା କରାଯାଇଛି ।

ସୂତ୍ରରୁ ଜଣାପଡ଼ିଛି ଯେ ଏହି ତିନିଜଣ ଆତଙ୍କୀ ଦୀର୍ଘ ଦିନ ଧରି ଭାରତରେ ରହୁଥିଲେ ଏବଂ ଏଠାରୁ ନେପାଳ ଯିବାକୁ ଯୋଜନା କରିଥିଲେ । ତେବେ ସୁରକ୍ଷା ଏଜେନ୍ସିକୁ ପୂର୍ବରୁ ଏହାର ଇନପୁଟ୍ ମିଳିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.