କଲମ୍ବିଆରେ ଭୟଙ୍କର ଭୂସ୍ଖଳନ: ମାଟି ତଳେ ଚାପି ହୋଇ ୩୪ ମୃତ, ଅନେକ ଦବିଥିବା ଆଶଙ୍କା

କଲମ୍ବିଆ ଭୟଙ୍କର ଦୁର୍ଘଟଣା । ଉତ୍ତର ପଶ୍ଚିମ ସ୍ଥିତ ରିସାରାଲ୍ଡା ପ୍ରାନ୍ତରେ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୩୪ଜଣଙ୍କର ମୃତ୍ୟୁ ହୋଇଛି । ଭୂସ୍ଖଳନ ଯୋଗୁ ମାଟି ତଳେ ଦବି ହୋଇଯାଇଛି ଯାତ୍ରୀବାହୀ ବସ୍ । ଫଳରେ ଲୋକଙ୍କ ଜୀବନ ଚାଲିଯାଇଛି । ତେବେ ମାଟି ତଳେ ଚାପି ହୋଇଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ ନେଇ କଲମ୍ବିଆ ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଖବର ମୁତାବକ, କଲମ୍ବିଆର ରିସାରାଲ୍ଡ ପ୍ରାନ୍ତରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ ହୋଇଛି । ଏଥିରେ ଗୋଟିଏ ଯାତ୍ରୀବାହୀ ବସ୍ ସହିତ ଅନେକ ଗା଼ଡ଼ି ମାଟି ତଳେ ଦବି ହୋଇଯାଇଛି । ରାଜଧାନୀ ବୋଗୋଟାରୁ ପ୍ରାୟ ୨୩୦ କିଲୋମିଟର ଦୂର ପୁଏଲବୋ ରିକୋ ଓ ସୋସିଲିଆ ଗାଁ ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି । ମାଟି ତଳେ ବସ୍ ଚାପି ହୋଇଯିବାରୁ ୩୪ଜଣଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୩ଜଣ ଶିଶୁ ଥିବା ଜଣାପଡ଼ିଛି । ୯ଜଣଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୪ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ଦୁର୍ଘଟଣା ସମୟରେ ବସ ଭିତରେ ୨୫ ଜଣ ଲୋକ ରହିଥିଲେ। ଏହାବ୍ୟତୀତ ଅନ୍ୟ ଗାଡି ଚାପି ହୋଇପଡିଥିବା ଯୋଗୁଁ ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ମାଟି ତଳେ ଲୋକେ ଚାପି ହୋଇଥିବା ଯୋଗୁଁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କାଣ୍ଡୋଟୋ ନଗର ପାଳିକା ଅଧିକାରୀଙ୍କ କହିବା ଆନୁଯାୟୀ, ବସରେ ପ୍ରାୟ ଯାତ୍ରୀ ବସଥିଲେ ଏହି ସମୟରେ ଭୂସ୍ଖଳନ ହୋଇଥିଲା । ଡ୍ରାଇଭର ଲୋକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ଦବି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି ।

କଲମ୍ବିଆର ରାଷ୍ଟ୍ରପତି ଦୁର୍ଘଟଣାର ଶିକାର ହୋଇଥିବା ପରିବାରକୁ ଯଥାସମ୍ଭବ ସାହାଯ୍ୟ କରିବାକୁ କଥା ଦେଇଛନ୍ତି। ଏହାଛଡା କଲମ୍ବିଆର ଗୃହମନ୍ତ୍ରୀ ଅଲଫୋସୋ ପ୍ରାଦା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କଲମ୍ବିଆରେ ଅଧିକ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥାଏ। ସରକାରୀ ସଂଖ୍ୟା ମୁତାବକ, ଚଳିତବର୍ଷ ଭୂସ୍ଖଳନ ହୋଇ ପାଖାପାଖି ୨୧୬ ଜଣଙ୍କର ମୃତ୍ୟୁ ହୋଇଲାଣି। ୫୩୮ ହଜାର ଲୋକ ବାସହରା ହୋଇଛନ୍ତି। ଏପର୍ଯ୍ୟନ୍ତ ୪୮ ଲୋକ ନିଖୋଜ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.