ଦିଲ୍ଲୀରେ ବଡ଼ଧରଣ ସିଏଏ ହିଂସା, ପ୍ରାଣ ହରାଇଲେ ଜଣେ ହେଡ୍ କନେଷ୍ଟବଳ, ଗୁରୁତର ହେଲେ ୫ ପୋଲିସ ଅଧିକାରୀ
କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀରେ ସିଏଏ ହିଂସାରେ ଆଜି ଜଣେ ହେଡ୍ କନେଷ୍ଟବଳ ପ୍ରାଣ ହରାଇଛନ୍ତି । ଆଜି ସକାଳେ ଦିଲ୍ଲୀର ଗୋକୁଳପୁର ଅଂଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା । ସିଏଏ ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ ହେବା ସହ ପରସ୍ପର ଉପରକୁ ପଥର ଫୋପାଡିଥିଲେ । ଏହି ସମୟରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ସ୍ଥାନୀୟ ଥାନାର ହେଡ୍ କନେଷ୍ଟବଳ ପ୍ରାଣ ହରାଇଛନ୍ତି। ଡିସିପିଙ୍କ ସମେତ ୫ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁଃଖ ପ୍ରକାଶ କରିଛନ୍ତି। ଶାନ୍ତିର ସହ କଥାବାର୍ତ୍ତା ଜରିଆରେ ସମସ୍ୟାର ସମଧାନ ହୋଇପାରିବ ବୋଲି କେଜରିୱାଲ କହିଛନ୍ତି ।
ସିଏଏକୁ ବିରୋଧ କରି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁର ଅଂଚଳରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଜାଫ୍ରାଦାବାଦ ମେଟ୍ରୋ ଷ୍ଟେସନ ଆଗରେ ରାସ୍ତା ଅବରୋଧ କରିଥିବା ଶତାଧିକ ମହିଳା ଓ ବିଜେପି ନେତା କପିଲ ମିଶ୍ରାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଜାଫ୍ରାଦାବାଦ୍ର ମୌଜପୁର ଅଂଚଳରେ ପୋଲିସ ଛାଉଣୀ ହୋଇ ରହିଥିଲେ ମଧ୍ୟ ଗତକାଲି ସଂଧ୍ୟାରେ ଉଭୟ ଗୋଷ୍ଠୀ ମଧ୍ୟରେ ମାଡଗୋଳ ଭଳି ପରିସ୍ଥିତି ହୋଇଥିଲା।
ଉଭୟ ପଟୁ ଟେକା ପଥର ମାଡ ହୋଇଥିଲା। ଉଭୟ ପକ୍ଷ ଲୋକ ଆହତ ହୋଇଥିଲେ।…ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ଉତ୍ତରପୂର୍ବ ଦିଲ୍ଲୀର ୧୦ଟି ଅଂଚଳରେ ୧୪୪ ଧାରା ଲାଗୁ ହୋଇଛି । ସେପଟେ ଦିଲ୍ଲୀରେ ଶାନ୍ତି ବଜାୟ ରଖିବାକୁ ଉପରାଜ୍ୟପାଳ ଅନିଲ ବୈଜାଲ ଦିଲ୍ଲୀର ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।