ଅସ୍ତ୍ରଶସ୍ତ୍ର ଧରି ଘରେ ପଶିଗଲେ ୫ ଦୁର୍ବୃତ୍ତ, ସ୍ୱାମୀ ସାମ୍ନାରେ ଗର୍ଭବତୀ ସ୍ତ୍ରୀକୁ କଲେ ଗଣଦୁଷ୍କର୍ମ!

ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଆସିଛି ଏକ ହୃଦୟବିଦାରକ ଘଟଣା। ଏଠାରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଛି। ୫ ଜଣ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ସମୂହ ଦୁଷ୍କର୍ମ କରିଛନ୍ତି। ରିପୋର୍ଟ ମୁତାବକ, ଝେଲମ୍‌ ସହରରେ ୫ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ଜଣେ ମହିଳାଙ୍କ ଘର ଭିତରେ ପଶି ଯାଇଥିଲେ। ତେବେ ମହିଳା ଜଣକ ଗର୍ଭବତୀ ବୋଲି ଜଣାପଡ଼ିଛି।

ଦୁର୍ବୃତ୍ତମାନେ ପ୍ରଥମେ ମହିଳା ଓ ତାଙ୍କ ସ୍ୱାମୀଙ୍କ ସହ ମାରପିଟ କରିଥିଲେ। ଏହାପରେ ପୀଡ଼ିତାଙ୍କ ସ୍ୱାମୀଙ୍କୁ ରଶିରେ ବାନ୍ଧି ତାଙ୍କ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଦୁର୍ବୃତ୍ତମାନେ ଏ ପର୍ଯ୍ୟନ୍ତ ଧରାପଡ଼ି ନ ଥିବାବେଳେ ପଞ୍ଜାବ ପୋଲିସ ସେମାନଙ୍କୁ ଖୋଜିବା ଅଭିଯାନ ଆରମ୍ଭ କରି ଦେଇଛି।

ସେପଟେ ଅନ୍ୟ ଏକ ଗଣଦୁଷ୍କର୍ମ ମାମଲାରେ ପାକିସ୍ତାନ ରେଲେଓ୍ଵ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଏକ ଯାତ୍ରୀବାହୀ ଟ୍ରେନରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣା ମେ’ ୨୭ରେ ଘଟିଥିଲା। ଏହି ଦିନ ୨୦ ବର୍ଷୀୟା ଯୁବତୀ ଜଣକ ଜକରିୟା ଏକ୍ସପ୍ରେସ୍‌ ଟ୍ରେନ ଯୋଗେ ମୁଲ୍‌ତାନରୁ କରାଚୀ ଯାଉଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ।

କହି ରଖୁଛୁ, ପଞ୍ଜାବ ସୂଚନା ଆୟୋଗ ତରଫରୁ ଫେବୃୟାରୀରେ ଜାରି ତଥ୍ୟ ମୁତାବକ, ଗତ ୬ ମାସ ଭିତରେ ପ୍ରଦେଶରେ ମୋଟ ୨,୪୩୯ ମହିଳାଙ୍କ ସହ ଦୁଷ୍କର୍ମ ଘଟଣା ଘଟିଛି। ଏଥି ସହିତ ପାରିବାରିକ ସମ୍ମାନ ନାମରେ ୯୦ ଜଣଙ୍କୁ ହତ୍ୟା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.