‘ତୋ ସ୍ତ୍ରୀ ଡାହାଣୀ, ତୁରନ୍ତ ଗାଁ ଛାଡ଼ି ଚାଲିଯା’…ଏମିତି କହି ମହିଳାଙ୍କ ସ୍ୱାମୀଙ୍କୁ ଲାଠି, ପଥର ମାଡ଼ କଲେ ଗ୍ରାମବାସୀ; ଅବସ୍ଥା ସାଂଘାତିକ!

ଆଦିବାସୀ ବହୁଳ ଦକ୍ଷିଣ ରାଜସ୍ଥାନରେ ଏବେ ମଧ୍ୟ କେଉଁଠି ନା କେଉଁଠି ଅନ୍ଧବିଶ୍ୱାସ ରହିଛି। ଏଠି ମହିଳାମାନଙ୍କୁ ନାନା ପ୍ରକାରେ ହଇରାଣ ହରକତ କରାଯାଉଛି। ମହିଳାଙ୍କୁ ଡାହାଣୀ କହି ପ୍ରତାଡ଼ିତ କରାଯିବା ଭଳି ଘୃଣ୍ୟ କାର୍ଯ୍ୟ କମିବାର ନାଁ ନେଉ ନାହିଁ। ଗତ ଦୁଇ ମାସ ମଧ୍ୟରେ ଉଦୟପୁର ଡିଭିଜନର ବିଭିନ୍ନ ଜିଲ୍ଲାରେ ୬ରୁ ଅଧିକ ମାମଲା ରୁଜୁ ହୋଇଛି। ଏବେ ଏହିଭଳି ଏକ ମାମଲା ବାନ୍ସୱାଡାର ଦାନପୁରରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଡାହାଣୀ କହି ଗାଁ ଛାଡ଼ି ଚାଲିଯିବାକୁ ଧମକ ଦିଆଯାଇଛି। ଏପରି କି, ଗାଁ ଲୋକେ ଏତେ ତାତି ଯାଇଛନ୍ତି ଯେ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। ଲୋକମାନେ ତାଙ୍କୁ ଲାଠି ଓ ପଥର ମାଡ଼ କରି ଆହତ କରି ପକାଇଛନ୍ତି, ଯାହାଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆକ୍ରମଣ ଓ ମାରପିଟ ସମୟରେ ଲୋକମାନେ ବ୍ୟକ୍ତିଙ୍କୁ ଦୋଷ ଦେଉଥିଲେ ଯେ ତାଙ୍କ ସ୍ତ୍ରୀ ଏକ ଡାହାଣୀ ଏବଂ ଗୁଣିଗାରେଡ଼ି କରୁଛି। ଏହି କାରଣରୁ ସେମାନଙ୍କ ଗୃହପାଳିତ ପଶୁମାନଙ୍କର ବିନା କାରଣରେ ମୃତ୍ୟୁ ଘଟୁଛି। ଖବର ମୁତାବକ, ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଲଗାତାର ଭାବେ ତାଙ୍କ ଗୃହପାଳିତ ପଶୁମାନଙ୍କର ମୃତ୍ୟୁ ଘଟି ଚାଲିଥିଲା। ଏ ନେଇ ଅଭିଯୋଗକାରୀ ବ୍ୟକ୍ତି ଏବଂ ତାଙ୍କ ପତ୍ନୀ ଗାଁର ଜଣେ ମହିଳାଙ୍କ ଉପରେ ଅଭିଯୋଗ ଲଗାଇଥିଲେ। ମହିଳା ଜଣକ ଗୁଣିଗାରେଡ଼ି କରି ତାଙ୍କ ପଶୁମାନଙ୍କୁ ମାରି ଦେଇଥିବା ସେମାନେ ଅଭିଯୋଗ କରିଥିଲେ।

ମହିଳାଙ୍କ ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ ଲୋକେ

ଯେତେବେଳେ ଗାଁ ଲୋକେ ମହିଳାଙ୍କୁ ଡାହାଣୀ ବୋଲି କହିଲେ, ତ ଏହାକୁ ପୀଡ଼ିତାଙ୍କ ସ୍ୱାମୀ ବିରୋଧ କରିଥିଲେ। ବିରୋଧ କରିବାରୁ ଅଭିଯୋଗକାରୀ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ମହିଳାଙ୍କ ସ୍ୱାମୀଙ୍କୁ ଘେରି ଯାଇ ବାଡ଼ିରେ ନିସ୍ତୁକ ପିଟିଥିଲେ। ପୁଣି ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ତୁରନ୍ତ ଗାଁ ଛାଡି ଚାଲିଯିବାକୁ ସେମାନେ କହିଥିଲେ। ଏହି ସମୟରେ ଗ୍ରାମବାସୀ ମଝିରେ ହସ୍ତକ୍ଷେପ କରି ମହିଳାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିଥିଲେ। ଆହତ ସ୍ୱାମୀ ନିଜର ଚିକିତ୍ସା କରାଇ ପୋଲିସ ନିକଟରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ଏହି ଘଟଣାରେ ଦାନପୁର ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.