ଦିଲ୍ଲୀରେ ଆପ୍ର ଐତିହାସିକ ବିଜୟ: ୧୫ ବର୍ଷ ପରେ ବିଜେପି ହାତରୁ ଖସିଲା ଏମସିଡି

ନୂଆଦିଲ୍ଲୀ : ଏମ୍ସିଡିରେ ଆପ୍ର ଐତିହାସିକ ବିଜୟ । ୧୫ ବର୍ଷ ପରେ କ୍ଷମତାରୁ ବିଦା ହେଲା ବିଜେପି । ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ଦଖଲ କଲା ଆମ୍ ଆଦମୀ ପାର୍ଟି । ସତ ହେଲା ଏକଜିଟ୍ ପୋଲ୍ । ଗତ ୧୫ ବର୍ଷ ହେବ ବିଜେପି କବ୍ଜାରେ ଥିଲା ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ । କିନ୍ତୁ ଚଳିତ ଥର ଦିଲ୍ଲୀର ଦିଲ୍ ଜିତି ବିଜେପି ହାତରୁ ସତ୍ତା ଛଡାଇ ନେଇଛନ୍ତି କେଜ୍ରିଓ୍ଵାଲ ।
୨୫୦ ଓ୍ଵାର୍ଡ ବିଶିଷ୍ଟ ଏମସିଡିରେ ଆପ୍ ବହୁମତ ହାସଲ କରିଥିବା ବେଳେ ଦଳୀୟ ନେତା ଓ କର୍ମୀ ସେଲିବ୍ରେସନ୍ ଆରମ୍ଭ କରି ଦେଲେଣି । ବାଜା ବଜାଇ ନାଚ ଗୀତ କରୁଛନ୍ତି । ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ଭିତରେ ୪୨ଟି କେନ୍ଦ୍ରରେ ଚାଲିଛି ଭୋଟ୍ ଗଣତି । ନିୟୋଜିତ ଅଛନ୍ତି ୧୦ ହଜାର ଅଧିକାରୀ । ନିର୍ବାଚନ ମୈଦାନରେ ଥିଲେ ମୋଟ୍ ୧୩ଶହ ୪୯ ପ୍ରାର୍ଥୀ । ଆପ୍କୁ ଏକତରଫା ବିଜୟ ମିଳିବ ବୋଲି ସବୁ ଏକଜିଟ୍ ପୋଲ୍ ଆକଳନ କରିଥିଲେ । ଆଉ ତାହା ସତ ହୋଇଛି । ୨୦୧୭ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ ନିର୍ବାଚନରେ ବାଜି ମାରିଥିଲା ବିଜେପି । ମୋଟ୍ ୨୭୨ ଆସନରୁ ୧୮୨ଟି ଓ୍ଵାର୍ଡରେ ଉଡିଥିଲା ଗେରୁଆ ପତାକା । ଆପ ୪୮ ଓ କଂଗ୍ରେସ ୩୦ ଆସନରେ ସନ୍ତୁଷ୍ଟ ହୋଇଥିଲେ ।