ଦିଲ୍ଲୀରେ ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣା; ଗୁଗଲ ସର୍ଚ୍ଚ କରି ପୋଷ୍ଟମର୍ଟମ ଓ ରକ୍ତଛିଟା ହଟାଇବାର କୌଶଳ ଶିଖିଥିଲା ଆଫତାବ

ଦିଲ୍ଲୀରେ ପ୍ରେମିକାକୁ ୩୫ ଖଣ୍ଡ କରି ହତ୍ୟା ଘଟଣାର ଆହୁରୁ ଗୁମୁର ସବୁ ଫିଟିବାରେ ଲାଗିଛି । ଏ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ବିଷୟରେ ଯିଏ ବି ଶୁଣୁଚି ତାର ଲୋମ ଟାଙ୍କୁରି ଉଠୁଛି । ଦିଲ୍ଲୀରେ ରହୁଥିବା ଆଫତାବ ନାମକ ଯୁବକ ନିଜ ଲିଭ ଇନ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ୩୫ ଖଣ୍ଡ କରି କାଟିଥିଲା । ପ୍ରେମିକାକୁ ଗଳା ଚାପି ମାରିବା ପରେ ଗୁଗଲ ସର୍ଚ୍ଚ କରି ଶବକୁ କିଭଳି ବ୍ୟବଚ୍ଛେଦ କରାଯାଏ ସେହି କୌଶଳ ଶିଖିଥିଲା । ତା ପରେ ଏହାକୁ ୩୫ ଖଣ୍ଡ କରି କାଟିଥିଲା । ପୁଣି ହତ୍ୟା ପରେ ଘର ପଡ଼ିଥିବା ରକ୍ତ ଛିଟା ଲିଭାଇବା ପାଇଁ ମଧ୍ୟ ଗୁଗଲ୍ ସର୍ଚ୍ଚ କରିଥିଲା ।

ତେବେ ଆଫତାବକୁ ପୋଲିସ ଗିରଫ କରି ଶ୍ରଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ଶରୀରକୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛି। ଏଥିପାଇଁ ଆଫତାବକୁ ଆଜି କ୍ରାଇମ ସ୍ପଟ୍କୁ ନେଇଛି ପୋଲିସ । ପୋଲିସ୍‌ର କହିବା ମୁତାବକ, ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଶବକୁ କିଭଳି ସହଜରେ ଫିଙ୍ଗି ହେବ, ରକ୍ତ ଦାଗ ଲିଭାଇ ହେବ, ସେ କଥା ଜାଣିବା ପାଇଁ ଗୁଗଲର ସହାୟତା ନେଇଥିଲା। ଗୁଗଲରୁ ସର୍ଚ୍ଚ କରି ଜାଣିବା ପରେ ବାଥରୁମରେ ଶ୍ରଦ୍ଧାଙ୍କ ଶବକୁ ୩୫ ଖଣ୍ଡ କରି କାଟିଥିଲା । ଶ୍ରଦ୍ଧାଙ୍କ ମୃତ୍ୟୁ ଗତ ମେ ମାସ ୧୮ ତାରିଖରେ କରିଥିଲା ଆଫତାବ। ଆଉ ଏହି ଖଣ୍ଡ ବିଖଣ୍ଡିତ ଶରୀରକୁ ରଖିବା ପାଇଁ ଏକ ଫ୍ରିଜ ମଧ୍ୟ କିଣିଥିଲା। ପ୍ରତିଦିନ ରାତି ୨ଟାରେ ଫ୍ରିଜ୍‌ରୁ କିଛି କିଛି କଟା ଶରୀରକୁ ନେଇ ଜଙ୍ଗଲକୁ ପକାଇବାକୁ ଯାଉଥିଲା ଆଫତାବ ।

ସୂଚନାଯୋଗ୍ୟ, ଶ୍ରଦ୍ଧା ଏବଂ ପୁନାୱାଲା ଡେଟିଂ ଆପ୍ ଦ୍ବାରା ପରସ୍ପରକୁ ଜାଣିଥିଲେ। ଉଭୟ ଶ୍ରଦ୍ଧା ଏବଂ ପୁନାୱାଲା ପ୍ରଥମେ ମୁମ୍ବାଇରେ ଲିଭ୍ ଇନ ରିଲେସନସିପରେ ରହୁଥିଲେ। ଶ୍ରଦ୍ଧା ମୁମ୍ବାଇର ମଲାଡସ୍ଥିତି ମଲ୍ଟି ନ୍ୟାସନାଲ କମ୍ପାନୀର କଲ ସେଣ୍ଟରେ ଚାକିରି କରୁଥିଲେ। ଏଠାରେ ଆଫତାବଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଦୁହିଁଙ୍କ ପରିବାର ଲିଭ ଇନରେ ରହିବା କଥାକୁ ପସନ୍ଦ କରୁନଥିଲେ। ତେଣୁ ବିରୋଧ କରିଥିଲେ। ପରିବାର ପକ୍ଷରୁ ବିରୋଧ ହେବା ପରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀରେ ରହୁଥିଲେ । ଲିଭ ଇନରେ ରହୁଥିବା ଆଫତାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ବିବାହକୁ ନେଇ ପ୍ରତିଦିନ ଝଗଡା ଲାଗୁଥିଲା। ମେ’ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ମାରିଦେଇଥିଲା ଏବଂ ଏହାପରେ ସେ ତାଙ୍କ ମର ଶରୀରକୁ କାଟି ୩୫ ଖଣ୍ଡ କରିଥିଲା। ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ କିଣିଥିଲା। ସେହି ଫ୍ରିଜରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।

ଶ୍ରଦ୍ଧା ଦିଲ୍ଲୀରେ ରହିଲେ ମଧ୍ୟ ତାଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହ ସେ ଯୋଗଯୋଗରେ ରହିଥିଲେ। ଶ୍ରଦ୍ଧାଙ୍କର ବନ୍ଧୁମାନେ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ତାଙ୍କ ଫୋନ୍ ସୁଇଚ ଅଫ୍ ଦେଖାଇଥିଲା। ସୋସିଆଲ ମିଡିଆରେ ମଧ୍ୟ ସେ ସକ୍ରିୟ ରହୁନଥିଲେ। ଏଥିପାଇଁ ତାଙ୍କର ଜଣେ ବନ୍ଧୁଙ୍କର ସନ୍ଦେହ ବଢ଼ିଥିଲା। ସେ ଶ୍ରଦ୍ଧାଙ୍କ ଭାଇଙ୍କୁ ଫୋନ୍ କରି ଏକଥା ଜଣାଇଥିଲେ।

ଶ୍ରଦ୍ଧାଙ୍କ ବାପା ବିକାଶ ମଦନ ୱାକର ଗତ ଅଗଷ୍ଟ ମାସରେ ମାଣିକପୁର ଥାନାରେ ଝିଅ ନିଖୋଜ ଥିବା ନେଇ ଏକ ଏତଲା ରୁଜୁ କରିଥିଲେ। ଏହାପରେ ନଭେମ୍ବର ୮ ତାରିଖରେ ଶ୍ରଦ୍ଧାଙ୍କ ବାପା ଦିଲ୍ଲୀ ଆସି ତାଙ୍କ ଝିଅ ରହୁଥିବା ଫ୍ଲାଟ୍ ନିକଟରେ ପହଞ୍ଚିଥିଲେ। କିନ୍ତୁ ଫ୍ଲାଟରେ ତାଲା ପଡ଼ିଥିଲା। ଶ୍ରଦ୍ଧାଙ୍କ ବାପା ଏହାପରେ ଦିଲ୍ଲୀ ପୋଲିସରେ ଏତଲା ରୁଜୁ କରିଥିଲେ। ସେଠାରେ ମଧ୍ୟ ତାଲା ପଡ଼ିଥିବାର ଦେଖି ବିକାଶ ସଙ୍ଗେ ସଙ୍ଗେ ଥାନାକୁ ଯାଇ ଝିଅ ଅପହରଣ ନେଇ ଏତଲା ଦାୟର କରିଥିଲେ। ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ଆଫତାବଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.