ପୁଣି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରୀତି, ଇମ୍ରାନ ଖାନ୍‌ଙ୍କୁ କହିଲେ ବଡ଼ ଭାଇ

କେନ୍ୟୁଜ୍(ବ୍ୟୁରୋ):  ଇମ୍ରାନ୍‌ଙ୍କୁ ବଡ଼ ଭାଇ କହି ଅଡ଼ୁଆରେ ସିଦ୍ଧୁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଭାଇ କହି ପୁଣି ଚର୍ଚ୍ଚାରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ । ଏହାକୁ ସାଂଘାତିକ ବୋଲି ବିଜେପି କହିଛି । କର୍ତ୍ତାରପୁର ସାହିବ ଗସ୍ତ ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି ସିଦ୍ଧୁ । ଇମ୍ରାନଙ୍କ ତରଫରୁ ପାକିସ୍ତାନର ଜଣେ ଅଧିକାରୀ ସିଦ୍ଧୁଙ୍କୁ ସ୍ୱାଗତ କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଇମ୍ରାନଙ୍କୁ ବଡ଼ ଭାଇ କହିଛନ୍ତି ସିଦ୍ଧୁ ।

ଇମ୍ରାନ ତାଙ୍କୁ ଅନେକ ଭଲ ପାଇବା ଦେଇଥିବା ସିଦ୍ଧୁ କହିଛନ୍ତି । ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି । ବିଜେପି ମୁଖପାତ୍ର ସଂବିତ ପାତ୍ର ଏହାକୁ ସାଂଘାତିକ ବୋଲି କହିଛନ୍ତି । ଅନେକ କଂଗ୍ରେସ ନେତାଙ୍କ ମନ୍ତବ୍ୟ ସହ ସିଦ୍ଧୁଙ୍କ ମନ୍ତବ୍ୟକୁ ଲିଙ୍କ୍‌ କରିଛି ବିଜେପି । କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କ ସମେତ କିଛି କଂଗ୍ରେସ ନେତା ହିନ୍ଦୁତ୍ୱକୁ ସମାଲୋଚନା କରିଥିଲେ । ସିଦ୍ଧୁଙ୍କ ମନ୍ତବ୍ୟକୁ ଏହା ସହ ଯୋଡ଼ିଛି ବିଜେପି । ସମ୍ବିତ କହିଛନ୍ତି, ପଞ୍ଜାବ ଏକ ସୀମାନ୍ତ ରାଜ୍ୟ । ଏଠାରେ ସମସ୍ୟା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ କରୁଛି। ତେଣୁ ଏଠାରେ ପରିପକ୍ୱ ଓ ଦେଶପ୍ରେମୀ ନେତୃତ୍ୱ ଆବଶ୍ୟକ । ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ରାହୁଲଙ୍କୁ ଟାର୍ଗେଟ୍‌ କରିଛି ବିଜେପି । ଅନ୍ୟପଟେ ବିଜେପି ଯାହା କହୁଛି କହୁ ବୋଲି ସିଦ୍ଧୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.