ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ନଦୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ

ମେଲାଣି ନେଲେ ମା’ ଦୁର୍ଗା। ଗତକାଲି ଦଶହରା ଆୟୋଜନ ପରେ ଆଜି ମା’ଙ୍କୁ ବିସର୍ଜନ କରାଯାଇଛି। ସାରା ଦେଶରେ ଆଜି ମା’ଙ୍କୁ ବିଦାୟ ଦିଆଯାଉଛି। ତେବେ ଇତି ମଧ୍ୟରେ ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଆଗ୍ରାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ ଘଟିଛି। ଏଠାରେ ମା’ ଦୁର୍ଗାଙ୍କୁ ବିସର୍ଜନ କରିବା ବେଳେ କିଛି ଲୋକ ନଦୀରେ ବୁଡ଼ିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତେବେ ଏହି ଘଟଣା ପ୍ରଚାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

ଆଗ୍ରାର ଏକ ଗାଁରେ ଦଶହରା ପରେ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ପାର୍ବତୀ ନଦୀରେ ମା’ଙ୍କୁ ମେଲାଣି ଦେବା ପାଇଁ ଅନେକ ଲୋକ ଏକାଠି ହୋଇଥିଲେ। ଆଗ୍ରାର ଏସ୍‌ଏସ୍‌ପି ମୁନିରାଜ କହିଛନ୍ତି, ନଦୀରେ ବିସର୍ଜନ ବେଳେ କିଛି ଲୋକ ନଦୀର ବେଶୀ ଭିତରକୁ ଚାଲିଯାଇଥିଲେ। ଫଳରେ ସେଠାରେ ଡୁବିଯାଇଥିଲେ। କେହି ଉଦ୍ଧାର କରିନପାରିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏବେ ନଦୀରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ୫ ଜଣଙ୍କ ମୃତ ଦେହ ମିଳିଛି। ସମସ୍ତ ମୃତକ ଗୋଟିଏ ଗାଁର ବୋଲି ଜଣାଯାଇଛି। ଏହି ଘଟଣା ପରେ ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ଗାଁରେ କୌଣସି ଘରେ ଖାଇବା ବି ତିଆରି ହୋଇନାହିଁ। ଆଉ ପୁଣି କେତେ ମୃତ ଦେହ ମିଳିବ ଭାବି ଲୋକମାନେ ଚିନ୍ତାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.