ମୁମ୍ବାଇ: ବିଜନେସ୍‌ ମିଟିଂ ପାଇଁ ଆସିଥିଲେ ଭାରତ, ପାଞ୍ଚ ତାରକା ହୋଟେଲରୁ ମୃତ ଅବସ୍ଥାରେ ମିଳିଲେ ଆମେରିକୀୟ ନାଗରିକ

ମୁମ୍ବାଇର ଇଷ୍ଟ୍‍ ଅନ୍ଧେରୀରେ ଜଣେ ଆମେରିକୀୟ ନାଗରିକ ମୃତ ଅବସ୍ଥାରେ ମିଳିଛନ୍ତି । ମଙ୍ଗଳବାର ଏକ ଫାଇଭ୍‌ ଷ୍ଟାର ହୋଟେଲରୁ ତାଙ୍କ ମୃତଦେହ ମିଳିଛି ।

ମୁମ୍ବାଇର ଇଷ୍ଟ୍‍ ଅନ୍ଧେରୀରେ ଜଣେ ଆମେରିକୀୟ ନାଗରିକ ମୃତ ଅବସ୍ଥାରେ ମିଳିଛନ୍ତି । ମଙ୍ଗଳବାର ଏକ ଫାଇଭ୍‌ ଷ୍ଟାର ହୋଟେଲରୁ ତାଙ୍କ ମୃତଦେହ ମିଳିଛି । ମୃତ ଆମେରିକୀୟଙ୍କ ବୟସ ୬୨ ବୋଲି ଜଣାପଡ଼ିିଛି । ସେ ଏକ ବିଜନେସ୍‌ ମିଟିଂ ପାଇଁ ଭାରତ ଆସିଥିଲେ ।

ହୋଟେଲରେ ନିଜ ରୁମ୍‌ ଭିତରୁ ବେହୋସ୍‌ ଅବସ୍ଥାରେ ମିଳିବା ପରେ କର୍ମଚାରୀମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏ ନେଇ ମାମଲା ମଧ୍ୟ ରୁଜୁ ହୋଇଛି ।

ତେବେ ଏହି ଘଟଣାରେ ପୋଲିସକୁ କିଛି ବି ସନ୍ଦେହଜନକ ଜିନିଷ ମିଳିପାରି ନାହିଁ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରାକୃତିକ କାରଣରୁ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସକୁ ମଙ୍ଗଳବାର ରାତି ୧୦ଟାରେ ଫୋନ୍‌ କଲ୍‌ ଆସିଥିଲା । ହୋଟେଲରେ ବିଦେଶୀ ନାଗରିକଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇ ପୋଲିସ ଟିମ୍‌ ପହଞ୍ଚିଥିଲା ।

କୁହାଯାଉଛି, ମୃତକ ବିଜନେସ୍‌ ମିଟିଂ ପାଇଁ ମାର୍ଚ୍ଚ ୯ରେ ମୁମ୍ବାଇ ଆସିଥିଲେ । ତାଙ୍କ ଆଇଟି କମ୍ପାନୀର ଏକ ଅଫିସ୍‌ ମୁମ୍ବାଇରେ ରହିଛି । ସେ ମିଟିଂ ପରେ ୧୪ ତାରିଖରେ ଭାରତରୁ ଫେରିବାର ଥିଲା । ଏହି ଆମେରିକୀୟ କମ୍ପାନୀର ଡାଇରେକ୍ଟର ଥିଲେ ଏବଂ ଏକୁଟିଆ ହିଁ ଭାରତ ଆସିଥିଲେ । ପୋଲିସ ଅନୁସାରେ, ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.