ଯେ କୌଣସି ମୁହୂର୍ତ୍ତରେ ୟୁକ୍ରେନ୍‌- ରୁଷ ମଧ୍ୟରେ ହୋଇପାରେ ଯୁଦ୍ଧ, ଦେଶକୁ ଫେରିଆସିବାକୁ ନିଜ ନାଗରିକଙ୍କୁ ଆମେରିକାର ନିର୍ଦ୍ଦେଶ

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣର ଆଶଙ୍କା ବଢ଼ୁଥିବା ଦେଖି ଆମେରିକା ନିଜ ନାଗରିକଙ୍କୁ ଦେଶକୁ ଫେରି ଆସିବାକୁ କହିଛି। ଆମେରିକାର ବୈଦେଶିକ ମନ୍ତ୍ରାଳୟ ୟୁକ୍ରେନ୍‌ ସ୍ଥିତ ଆମେରିକା ଦୂତାବାସରେ କାର୍ଯ୍ୟରତ ସମସ୍ତ ଆମେରିକୀୟ କର୍ମୀଙ୍କ ପରିବାରକୁ ତୁରନ୍ତ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ହୋଇଛି ଯେ ଦୂତାବାସରେ ଜରୁରୀ କାର୍ଯ୍ୟ ନଥିବା କର୍ମଚାରୀ ମଧ୍ୟ ସରକାରୀ ଖର୍ଚ୍ଚରେ ଦେଶ ଛାଡ଼ି ଆସିପାରନ୍ତି। ସୂଚନାଯୋଗ୍ୟ ଯେ ୟୁକ୍ରେନ୍‌ର ସୀମାରେ ରୁଷର ସୈନିକଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦେଶର ସ୍ଥିତିି ସୁଧୁରିବା ବଦଳରେ ବିଗୁଡ଼ୁଥିବା ନଜର ଆସିଛି। ଏଣୁ ଆମେରିକା ନିଜ ଦେଶର ଲୋକଙ୍କୁ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି।

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍‌ ଶାନ୍ତି ପ୍ରତିଷ୍ଠା ପାଇଁ ଶୁକ୍ରବାର ଦିନ ଆଲୋଚନା କରିଥିଲେ। କିନ୍ତୁ ଏଥିରେ ସଫଳ ହୋଇପାରି ନଥିଲେ। ବୈଦେଶିକ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି, କିଭ୍‌ ସ୍ଥିତ ଆମେରିକାର ଦୂତାବାସ ଖୋଲା ରହିବ ଓ ଏହି ଘୋଷଣାର ଅର୍ଥ ୟୁକ୍ରେନ୍‌ରୁ ଆମେରିକା ଅଧିକାରୀଙ୍କୁ ବାହାର କରାଯିବ ନାହିଁ। ସେ କହିଛନ୍ତି, ଏହି ପଦକ୍ଷେପ ଉପରେ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା। ଏହାର ଅର୍ଥ ଏହା ନୁହେଁ ଯେ ଆମେରିକା ୟୁକ୍ରେନ୍‌ ପ୍ରତି ସମର୍ଥନ କମ୍‌ କରୁଛି।

ଅନ୍ୟପଟେ ୟୁକ୍ରେନ୍‌ ସରକାର ରୁଷ ସମର୍ଥିତ ପ୍ରଶାସନକୁ ବଦଳାଇବାକୁ ଚାହୁଁଛନ୍ତି ଓ ୟୁକ୍ରେନ୍‌ର ପୂର୍ବ ସାଂସଦ ୟେବେନୀ ମୁରାୟେବ ଏଥିପାଇଁ ସମ୍ଭାବ୍ୟ ଆଶାୟୀ ପ୍ରାର୍ଥୀ ବୋଲି ବ୍ରିଟେନ୍‌ର ଏହି ଦାବିକୁ ରୁଷର ବିଦେଶ ମନ୍ତ୍ରାଳୟ ରବିବାର ଖାରଜ କରିଛି। ତେବେ ଆଗକୁ ଦେଶରେ ଯୁଦ୍ଧକାଳୀନ ସ୍ଥିତି ଉପୁଜିପାରେ ବୋଲି ଆମେରିକା ଆଶଙ୍କା ପ୍ରକାଶ କରିଥିବା ଜଣାଯାଇଛି।। ଏଣୁ ନିଜ ଦେଶ ଲୋକଙ୍କୁ ୟୁକ୍ରେନ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା।