ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଅମିତ ଶାହ ଏବଂ ଏସ୍ ଜୟଶଙ୍କର
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ କାନ୍ନାଡାରେ ଥିବା ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ।

ଖଲିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଅମିତ ଶାହ ଏବଂ ଏସ୍ ଜୟଶଙ୍କର । କେବଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ନୁହନ୍ତି, ଟାର୍ଗେଟରେ କାନ୍ନାଡାରେ ଥିବା ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ମଧ୍ୟ ଅଛନ୍ତି । ଏହି ତିନି ଜଣଙ୍କ ବିଷୟରେ କୌଣସି ସୂଚନା ଦେଲେ ଏକ କୋଟିରୁ ଅଧିକ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ‘ଶିଖ ଫର ଜଷ୍ଟିସ’ ସଙ୍ଗଠନ ମୁଖ୍ୟ ଜିଏସ୍ ପନ୍ନୁ ।
ଅନ୍ୟ ଜଣେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରକୁ ହତ୍ୟା ଏବଂ ଷଡଯନ୍ତ୍ର ପଛରେ ଅମିତ ଶାହ, ଏସ୍ ଜୟଶଙ୍କର ଏବଂ ସଞ୍ଜୟ କୁମାର ବର୍ମାଙ୍କ ହାତ ଥିବା କହିଛି ପନ୍ନୁ । ତେଣୁ ଭାରତକୁ ଧମକ ଦେବା ସହ ମୋଷ୍ଟ ଓ୍ଵାଣ୍ଟେଡ ପନ୍ନୁ କହିଛି ଆମେ ଏବେ ବି ହତିଆର ଉଠାଇବା ଭୁଲିନୁ । ତିନି ଜଣଙ୍କ ଫଟୋ ସହ ଏକ ପୋଷ୍ଟର ଜାରି କରିଛି ପନ୍ନୁ ।
ଯେଉଁଥରେ ଅମିତ ଶାହା, ଏସ୍ ଜୟଶଙ୍କର ଏବଂ ସଞ୍ଜୟ କୁମାର ବର୍ମାଙ୍କୁ ମୋଷ୍ଟ ଓ୍ଵାଣ୍ଟେଡ ବୋଲି କହିଛି । ଏହା ସହ ଏହି ତିନି ଜଣ ଖଲିସ୍ତାନୀଙ୍କ ଟାର୍ଗେଟରେ ଅଛନ୍ତି ଏବଂ ଗୁଳିର ଯବାବ ଗୁଳିରେ ଦିଆଯିବ ବୋଲି ଧମକ ଦେଇଛି ପନ୍ନୁ । ବର୍ତ୍ତମାନ ଏନ୍ଆଇଏର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ଅଛି ଖଲିସ୍ତାନୀ ଆତଙ୍କବାଦୀ ଜିଏସ୍ ପନ୍ନୁ ।
ଆମେରିକାରେ ରହୁଥିବା ପନ୍ନୁ ନିକଟରେ ୟୁଏସ୍ ଏବଂ କାନ୍ନାଡାର ପାସପୋର୍ଟ ଅଛି । ନିଜ୍ଜରର ହତ୍ୟା ପରେ ଲଗାତାର ଭାରତ ବିରୋଧରେ ସେ ବିଷ ଓଗାରୁୁଛି । ଗତ ୧୫ ଦିନ ମଧ୍ୟରେ ଦୁଇ ଦୁଇ ଥର ଭାରତକୁ ଧମକ ଦେଇସାରିଲାଣି ।