ନସରୁଲ୍ଲାଙ୍କୁ କୋର୍ଟ ବିବାହ କଲେ ଅଞ୍ଜୁ, ହେଲେ ଫାତିମା; ଦାବି କଲା ପାକିସ୍ତାନୀ ଗଣମାଧ୍ୟମ

ରାଜସ୍ଥାନର ଅଞ୍ଜୁ ପାକିସ୍ତାନ ପଳାଇଯିବା ମାମଲାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ ଖବର ରହିଛି ଯେ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଏହି ଦାବି କରିଛି ପାକିସ୍ତାନୀ ଗଣମାଧ୍ୟମ।

ରାଜସ୍ଥାନର ଅଞ୍ଜୁ ପାକିସ୍ତାନ ପଳାଇଯିବା ମାମଲାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ ଖବର ରହିଛି ଯେ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଏହି ଦାବି କରିଛି ପାକିସ୍ତାନୀ ଗଣମାଧ୍ୟମ। ଦାବି ମୁତାବକ, ଅଞ୍ଜୁ ନସରୁଲ୍ଲାଙ୍କୁ କୋର୍ଟ ବିବାହ କରିଛନ୍ତି। ଏଥି ସହିତ ନସରୁଲ୍ଲାଙ୍କୁ ବିବାହ କରିବା ପରେ ଅଞ୍ଜୁ ଇସ୍‌ଲାମ ଧର୍ମ ଗ୍ରହଣ କରିଛନ୍ତି। ଏକ ପାକିସ୍ତାନୀ ଟିଭି ଚ୍ୟାନେଲ ଦାବି କରିଛି ଯେ ଅଞ୍ଜୁ ଦିରର ବାସିନ୍ଦା ନସରୁଲ୍ଲାଙ୍କ ସହ କୋର୍ଟ ବିବାହ କରିଛନ୍ତି। ଉଭୟ ଜିଲ୍ଲା ଏବଂ ସେସନ୍ସ ଜଜଙ୍କ କୋର୍ଟରେ ବାହା ହୋଇଛନ୍ତି।

୩୫ ବର୍ଷୀୟା ଅଞ୍ଜୁ ଓ ୨୯ ବର୍ଷୀୟ ନସରୁଲ୍ଲାଙ୍କ ବିବାହକୁ ନିଶ୍ଚିତ କରିଛନ୍ତି ମଲକନ୍ଦ ଡିଭିଜନର ଉପ ମହାନିରୀକ୍ଷକ ନାସିର ମେହମୁଦ ସତୀ। ସେ କହିଛନ୍ତି ଯେ ମହିଳା ଇସଲାମ ଧର୍ମ ଗ୍ରହଣ କରିବା ପରେ ନିଜର ନାମ ବଦଳାଇ ଫାତିମା ରଖିଛନ୍ତି। ଭାରତୀୟ ମହିଳା ଅଞ୍ଜୁଙ୍କୁ ପୋଲିସ ସୁରକ୍ଷା ମଧ୍ୟରେ କୋର୍ଟରୁ ଘରକୁ ପଠାଯାଇଛି।

କହି ରଖୁଛୁ, ଅଞ୍ଜୁ ଓ ନସରୁଲ୍ଲା ଧାରା ୧୬୪ ଅନୁଯାୟୀ ବୟାନ ରେକର୍ଡ କରାଇ କହିଛନ୍ତି ଯେ ସେମାନେ ନିଜ ଇଚ୍ଛାରେ ବିବାହ କାଗଜପତ୍ରରେ ଦସ୍ତଖତ କରିଛନ୍ତି। ଅଞ୍ଜୁ ନିଜ ଇଚ୍ଛାରେ ପାକିସ୍ତାନ ଆସିଛନ୍ତି ଏବଂ ଏଠାରେ ସେ ବହୁତ ଖୁସି ଅଛନ୍ତି ବୋଲି କୋର୍ଟଙ୍କୁ କହିଛନ୍ତି।

ପୋଲିସ ନିଶ୍ଚିତ କରିଛି ଯେ ଅଞ୍ଜୁ ଜୁଲାଇ ୨୨ରେ ୱାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚିଥିଲେ ଏବଂ ସେ ରାୱଲପିଣ୍ଡିରେ ନସରୁଲ୍ଲାଙ୍କୁ ଭେଟିଥିଲେ। ଅଞ୍ଜୁ ଆଇନଗତ ଭାବେ ପାକିସ୍ତାନ ଯାତ୍ରା କରିଥିଲେ। ତାଙ୍କ ପାଖରେ ୧ ମାସ ପର୍ଯ୍ୟନ୍ତ ରହିବା ପାଇଁ ବୈଧ ଭିସା ଅଛି।