ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ

ସିକିମ୍‌ ବନ୍ୟାରେ ଭାସିଯାଇଥିବା ସେନା କ୍ୟାମ୍ପର ଗୋଳାବାରୁଦ ତୀସ୍ତା ନଦୀ କୂଳରେ ବିସ୍ଫୋରଣ ହୋଇ ୫ ଜଣଙ୍କର ଜୀବନ ଚାଲିଯାଇଛି । ସେନା ପକ୍ଷରୁ କୌଣସି ପ୍ରକାରର ବସ୍ତୁକୁ ଛୁଇଁବାକୁ ସ୍ଥାନୀୟ ଲୋକଙ୍କୁ ମନା କରାଯାଇଛି ।

ସିକିମ୍‌ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ପରେ ତୀସ୍ତା ନଦୀ କୂଳରେ ବିସ୍ଫୋରଣ ହୋଇଛି । ନଦୀ କୂଳରେ ମୋର୍ଟାର ସେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପିଲା ସହିତ ୫ ଜଣଙ୍କର ଜୀବନ ଚାଲିଯାଇଛି । ବିସ୍ଫୋରଣର ଭିଡିଓ ସାମ୍ନାକୁ ଆସିଛି । ପ୍ରଶାସନ ପକ୍ଷରୁ ଚେତାବନୀ ଜାରି କରାଯାଇଛି, ଆଉ ନଦୀ କୂଳରୁ ଦୂରେଇ ରହିବା ସହିତ କୌଣସି ଜିନିଷକୁ ହାତ ଲଗାଇବାକୁ ମନା କରାଯାଇଛି । ନଦୀ କୂଳରେ ଗୋଳା ବାରୁଦ ଯୋଗୁଁ ବିସ୍ଫୋରଣ ହୋଇଥିବା ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଉଛି । ଆଉ ଏଭଳି କିଛି ସନ୍ଦିଗ୍ଧ ଜିନିଷ ଦେଖିଲେ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି ।

ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି ଏବଂ ଅନୁରୋଧ କରାଯାଇଛି କି, ଯଦି କୌଣସି ଗୋଳା ବାରୁଦ ଏବଂ ସନ୍ଦିଗ୍ଧ ଜିନିଷ ଦେଖନ୍ତି, ତେବେ ପୋଲିସ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ । କୌଣସି ପ୍ରକାରର ବସ୍ତୁକୁ ଛୁଇଁବାକୁ ମନା କରାଯାଇଛି ।

ମଙ୍ଗଳବାର ସିକିମରେ ବାଦଲ ଫଟା ବର୍ଷା ଯୋଗୁଁ ନଦୀ ବନ୍ଧ ଭାଙ୍ଗିଯାଇଥିଲା । ଫଳରେ ବନ୍ୟା ପାଣି ମାଡିଆସିବାରୁ ଏପର୍ଯ୍ୟନ୍ତ ୪୧ ଜଣ ମୃତ୍ୟୁବରଣ କରିଛନ୍ତି । ପାଖାପାଖି ୧୨୦୦ ଘର ଭାସିଯାଇଛି । ଭାସିଯାଇଥିବା ୨୩ ଜଣ ସେନା ଯବାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୫ ଜଣଙ୍କ ପତ୍ତା ମିଳୁନି । ସେହିପରି ୧୦୩ ଜଣ ଲୋକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ତୃତୀୟ ଦିନରେ କାଦୁଅ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି । ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ସେନା ଯବାନଙ୍କୁ ଖୋଜା ଚାଲିଛି । ଯେଉଁ ସେନା ଯବାନଙ୍କ ମୃତଦେହ ମିଳିଛି, ସେମାନେ ନୋପାଳ, ବାଂଲାଦେଶ ଏବଂ ପଶ୍ଚିମବଙ୍ଗରୁ ଉଦ୍ଧାର କରାଯାଇଛି । ଏହି ଅପରସେନରେ ତିରଙ୍ଗା ମାଉଟେନ୍‌ ରେସକ୍ୟୁର ଅତିରିକ୍ତ ଟିମ, ସନ୍ଧାନୀ କୁକୁର, ବିଶେଷ ରାଡାର ସେବାକୁ ଲଗାଯାଇଛି ।

ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମାଙ୍ଗ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ସେହିପରି ଶିବିରରେ ରହିଥିବା ଲୋକଙ୍କୁ ୨,୦୦୦ ଟଙ୍କା ତତ୍‌କାଳ ଦେବାକୁ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.