ମୁମ୍ବାଇ ଅର୍ଥର ରୋଡ ଜେଲରେ କଟିଲା ଆର୍ଯ୍ୟନଙ୍କ ରାତି, ଜେଲ ମେନ୍ୟୁ ଅନୁସାରେ ମିଳିଲା ଖାଦ୍ଯ

ମୁମ୍ବାଇ: ଡ୍ରଗ୍ସ କ୍ରୁଜ୍‌ ମାମଲାରେ ଜାମିନ ଖାରଜ ପରେ ମୁମ୍ବାଇ ଅର୍ଥର ରୋଡ ଜେଲରେ କଟିଛି ଆର୍ଯ୍ୟନଙ୍କ ରାତି । ଜେଲ୍‌ ପହଞ୍ଚିବା ପରେ ଆର୍ଯ୍ୟନ୍‌ ବେଶ୍‌ ଭୟଭୀତ ହୋଇ ପଡ଼ିଥିଲେ । ଆଜି ସକାଳୁ ବାଦଶାହାଙ୍କ ବେଟାଙ୍କୁ ଅନ୍ୟ କଏଦୀଙ୍କ ଭଳି ସକାଳ ୬ଟାରୁ ଉଠିବା ପରେ ୭ଟାରେ ଜେଲରେ ହୋଇଥିବା ବ୍ରେକଫାଷ୍ଟ ଖାଇବାକୁ ଦିଆଯାଇଥିଲା । ତାଙ୍କୁ କୌଣସି ପ୍ରକାରର ବାହାର ଖାଦ୍ୟ ମିଳିନଥିଲା । ଜେଲରେ କଏଦୀଙ୍କୁ ୧୧ଟାରେ ଲଞ୍ଚ ଓ ସନ୍ଧ୍ୟା ୬ଟା ସୁଦ୍ଧା ଡିନର ମିଳିଥାଏ ।

ତେଣୁ ଆର୍ଯ୍ୟନଙ୍କୁ ମଧ୍ୟ ସେହି ଅନୁସାରେ ଖାଇବା ମିଳିବ । କୋର୍ଟଙ୍କ ନିର୍ଦ୍ଦେଶ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଘରର ଖାଦ୍ୟ ମିଳି ପାରିବ ନାହିଁ । ତେବେ ଜେଲ କ୍ୟାଣ୍ଟିନରୁ ଅତିରିକ୍ତ ଟଙ୍କା ଦେଇ କଏଦୀମାନେ ନିଜ ପସନ୍ଦର ଖାଇବାର ବ୍ୟବସ୍ଥା ଆର୍ଥର ଜେଲରେ ରହିଛି । ଜେଲ ମେନ୍ୟୁ ଅନୁସାରେ ସକାଳେ କଏଦୀଙ୍କୁ ଶେରା-ପୋହା ମିଳିଥାଏ । ମଧ୍ୟାହ୍ନ ଓ ରାତିି ଭୋଜନରେ ରୁଟି, ତରକାରୀ, ଡାଲି ଓ ଭାତ ବ୍ୟବସ୍ଥା ରହିଛି । ଅଧିକାଂଶ କଏଦୀ ରାତି ୮ଟା ସୁଦ୍ଧା ନିଜ ସେଲରେ ଖାଇବା ସାରିଦିଅନ୍ତି ।

ଆଜି ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଧେ ସେସନ୍‌ସ କୋର୍ଟରେ ଜାମିିନ ଆବେଦନ କରିବେ ବୋଲି ଜଣାପଡ଼ିଛି । ୫ଦିନିଆ କ୍ୱାରେଣ୍ଟାଇନରେ ଅଛନ୍ତି ଜୁନିଅର ଖାନ । ୧୪ଦିନିଆ ବିଚାର ବିଭାଗୀୟ ହେପାଜତରେ ଆର୍ଯ୍ୟନ। ମୁମ୍ବାଇ ଉପକୂଳରେ କୋର୍ଡୋଲା ଡ୍ରଗ୍ସ କ୍ରୁଜ୍‌ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି କୋର୍ଟରେ ଖାରଜ ହୋଇଥିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମିଳିନଥିଲା ଜାମିନ । ୧୪ ଦିନ ପର୍ଯ୍ୟନ୍ତ ଆର୍ଯ୍ୟନ ବିଚାର ବିଭାଗୀୟ ହାଜତରେ ରହିବେ । ତାଙ୍କ ସହିତ ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳିନଥିଲା । ଜାମିନ ଆବେଦନ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.