ଅନ୍ତର୍ଜାତୀୟ ଯୋଗ ଦିବସ: କେଉଁ ବୟସର ଲୋକଙ୍କୁ କେତିକି କରିବା ଦରକାର ବ୍ୟାୟାମ, WHO ଦେଲା ଉଚିତ ପରାମର୍ଶ

ଦେଶରେ କରୋନା ମହାମାରୀକୁ ରୋକିବା ପାଇଁ ଭ୍ୟାକ୍ସିନକୁ ସବୁଠାରୁ ବଡ଼ ଅସ୍ତ୍ର ବୋଲି କୁହାଯାଉଛି। ଏଥିସହିତ ଲୋକଙ୍କୁ ସବୁବେଳେ ଫିଟ୍‌ ତଥା ସୁସ୍ଥ ରହିବାକୁ ପରାମର୍ଶ ଦିଆଯାଉଛି, ଯେପରି ସେମାନେ ମଜଭୁତ ହୋଇ ଏହି ମହାମାରୀକୁ ମୁକାବିଲା କରିପାରିବେ। ନିୟମିତ ବ୍ୟାୟାମ ଜରିଆରେ ଆମେ ଆମ ଇମ୍ୟୁନିଟିକୁ ବଢ଼ାଇ ପାରିବା ଏବଂ ଶରୀରକୁ ରୋଗ ଦାଉରୁ ରକ୍ଷା କରିପାରିବା।

ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏ ବିଷୟରେ ଲୋକଙ୍କୁ ଜରୁରୀ ପରାମର୍ଶ ଦିଆଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆପଣଙ୍କୁ କହି ରଖୁଛୁ କି, କେଉଁ ବୟସରେ କେତିକି ବ୍ୟାୟାମ ଶରୀରକୁ ଫିଟ୍‌ ରଖିବାରେ ସହାୟକ ହୋଇପାରିବ। ଅର୍ଥାତ୍‌ ବୟସ ହିସାବରେ କେତିକି ବ୍ୟାୟାମ ଆମ ଶରୀର ପାଇଁ ଜରୁରୀ ହୋଇଥାଏ। WHO କହିଛି କି, ଯଦି ଆପଣଙ୍କ ପିଲାର ବୟସ ୫ରୁ ୧୭ ବର୍ଷ, ତ ତାକୁ ଦୈନିକ ୬୦ ମିନିଟ୍‌ ପର୍ଯ୍ୟନ୍ତ ବ୍ୟାୟାମ କରାଇବା ଉଚିତ। ଛୋଟ ପିଲାମାନଙ୍କୁ ହାଲୁକା ଏକ୍ସରସାଇଜ କରାନ୍ତୁ। ଏହାଛଡ଼ା କିଶୋରମାନେ ଫିଟ୍‌ ରହିବା ପାଇଁ ଦୌଡ଼ର ସାହାଯ୍ୟ ନେଇପାରିବେ।

ସେହିଭଳି ୧୮ରୁ ୬୪ ବର୍ଷ ବୟସର ଲୋକେ ୧୫୦-୩୦୦ ମିନିଟର ମଡରେଟ୍‌ ଓ୍ଵାର୍କଆଉଟ ପ୍ରତି ସପ୍ତାହରେ କରନ୍ତୁ। ବୟସ ବଢ଼ିବା ସାଙ୍ଗକୁ ଲୋକଙ୍କଠାରେ ଥକ୍କାପଣ, ଅନିଦ୍ରା ଭଳି ଜଟିଳ ସମସ୍ୟା ସବୁ ଦେଖାଦେଇଥାଏ। ଏମିତିରେ ଦୈନିକ ୩୦ରୁ ୪୦ ମିନିଟ କସରତ ଆପଣଙ୍କ ପାଇଁ ଲାଭଦାୟକ ହେବ। ଯଦି ଆପଣଙ୍କ ବୟସ ୬୫ ବର୍ଷରୁ ଅଧିକ, ତା’ହେଲେ ୧୫୦ ମିନିଟ୍‌ର ସାପ୍ତାହିକ କସରତ ଯଥେଷ୍ଟ ହେବ। ବୟସାଧିକ୍ୟ କାରଣରୁ ଶରୀର ପୂର୍ବ ଭଳି ଫୂର୍ତ୍ତି ନ ଥାଏ। ତେଣୁ ଏହି ବୟସରେ ଦୌଡ଼ାଦୌଡ଼ି କରିବାକୁ ମନା କରାଯାଇଥାଏ। ମାଂସପେଶୀ ଓ ହାଡ଼ର ଯତ୍ନ ରଖି ଆପଣ କସରତ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.