ଆମେରିକା: ଫୁଡ୍‌ କୋର୍ଟରେ ୩ ଜଣଙ୍କୁ ଆଖିବୁଜା ଗୁଳି, ପୋଲିସ କାର୍ଯ୍ୟାନୁଷ୍ଠାନରେ ବନ୍ଧୁକଧାରୀ ଆହତ

ଆମେରିକାର ଅଟଲାଣ୍ଟା ସହରରେ ଏକ ଫୁଡ୍‌ କୋର୍ଟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ ମଙ୍ଗଳବାର ଅପରାହ୍ନରେ ଏକ ବନ୍ଧୁକଧାରୀ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲେ । ଏହି ଘଟଣାକୁ ନେଇ ଫୁଡ୍‌ କୋର୍ଟ ପରିସରରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ଏହି ଘଟଣା ଅପରାହ୍ନ ସମୟର । ବନ୍ଧୁକଧାରୀ ବ୍ୟକ୍ତି ଏହି ସମୟରେ ୩ ଜଣଙ୍କୁ ଗୁଳି କରିଥିଲେ ।

ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀଙ୍କୁ ମଧ୍ୟ ଗୁଳି ବାଜିଥିଲା । ଅଟଲାଣ୍ଟା ପୋଲିସ ମୁଖ୍ୟ ଡାରିନ୍‌ ଶିୟରବାମ୍‌ଙ୍କ ସୂଚନା ଅନୁସାରେ, ପିଚଟ୍ରି ସେଣ୍ଟର ଫୁଡ୍‌ କୋର୍ଟରେ ଏହି ଘଟଣା ଘଟିଛି । ଏଥିରେ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସନ୍ଦିଗ୍ଧ ଆକ୍ରମଣକାରୀ ମଧ୍ୟ ସାମିଲ ଅଛନ୍ତି । ତେବେ ସମସ୍ତେ ଜୀବିତ ଥିବା ଜଣାଯାଇଛି ।

ସେପଟେ ମେୟର ଆଣ୍ଡ୍ରେ ଡିକେନ୍ସ ଆକ୍ରମଣକାରୀଙ୍କୁ ଗୁଳି ମାରିଥିବା ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି । ସେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ପୋଲିସ କର୍ମୀ ସେଠାରେ ନ ଥାଆନ୍ତେ, ତା’ ହେଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାଆନ୍ତା ।

ଶିୟରବାମ୍‌ କହିଛନ୍ତି, ଏହି ଗୁଳିକାଣ୍ଡ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌ରେ ଘଟିଥିଲା । ଯେଉଁ ୩ ଜଣଙ୍କୁ ଆକ୍ରମଣକାରୀ ଗୁଳି ମାରିଥିଲେ, ସେମାନେ ହେଲେ ଗ୍ରେସନର ୪୭ ବର୍ଷୀୟ ଜଣେ ବ୍ୟକ୍ତି, ଇଷ୍ଟ ପଏଣ୍ଟର ୬୯ ବର୍ଷୀୟା ଜଣେ ମହିଳା ଏବଂ ଅଟଲାଣ୍ଟାର ୭୦ ବର୍ଷୀୟା ଜଣେ ମହିଳା ।

ପୋଲିସ ମୁତାବକ, ସନ୍ଦିଗ୍ଧ ଆକ୍ରମଣକାରୀ ହେଉଛନ୍ତି ୩୪ ବର୍ଷୀୟ ଜଣେ ବ୍ୟକ୍ତି, ଯିଏ ଦକ୍ଷିଣ ଅଟଲାଣ୍ଟା ମୋରୋର ବାସିନ୍ଦା । ପ୍ରଥମେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ସଂଘର୍ଷ ହୋଇଥିଲା । ଏହାପରେ ଆକ୍ରମଣକାରୀ ବ୍ୟକ୍ତି ବନ୍ଧୁକ ବାହାର କରି ତାଙ୍କୁ ଗୁଳି ମାରିଥିଲେ । ଏହାପରେ ଅନ୍ୟ ୨ ଜଣଙ୍କୁ ଗୁଳି କରିଥିଲେ । ଯଦିଓ ଅଭିଯୁକ୍ତ ଆହତମାନଙ୍କୁ ଜାଣିଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇପାରିନାହିଁ । ବର୍ତ୍ତମାନ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Leave A Reply

Your email address will not be published.