ପାଗଳ ନେତାଙ୍କ ଅଜବ କାନୁନ: ଆଜିଠୁ ୧୧ଦିନ ‘କଠୋର’ ଶୋକ ପାଳୁଛି ଉତ୍ତର କୋରିଆ, ଏ ଭିତରେ ନିୟମ ଭାଙ୍ଗିଲେ ସିଧା ମୃତ୍ୟୁଦଣ୍ଡ!

ଉତ୍ତର କୋରିଆ ନିଜର ଅଜବ ଆଇନ କାନୁନ ଏବଂ ନିଷ୍ପତ୍ତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ବର୍ତ୍ତମାନ ଏଠାକାର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ଜନତାଙ୍କ ହସ ଉପରେ ରୋକ୍ ଲଗାଇ ଦେଇଛନ୍ତି। ବାସ୍ତବରେ, ଉତ୍ତର କୋରିଆ ନିଜର ପୂର୍ବତନ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଛି। ତେଣୁ ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଦେଶର ନାଗରିକମାନଙ୍କୁ ଶୋକ ପାଳନ କରିବାକୁ ହେବ। ଏହି ସମୟରେ ସେମାନେ ନା ଖୁସି ରହି ପାରିବେ ନା ହସି ପାରିବେ। ଯଦି କେହି ମଦ୍ୟପାନ କରୁଥିବାର ମିଳିବେ, ତ ସିଧା ମୃତ୍ୟୁଦଣ୍ଡ ଦିଆଯିବ।
ଖବର ମୁତାବକ, ପୂର୍ବତନ ସର୍ବୋଚ୍ଚ ନେତା କିମ ଜୋଙ୍ଗ ଇଲ ଉତ୍ତର କୋରିଆ ଉପରେ ୧୯୯୪ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଶାସନ କରିଥିଲେ। କୋରିଆର ନିଷ୍ଠୁର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଇଲ ୨୦୧୧, ଡିସେମ୍ବର ୧୭ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୬୯ ବର୍ଷ ବୟସରେ ସେ ହୃଦଘାତର ଶିକାର ହୋଇଥିଲେ। ଇଲଙ୍କ ପରେ ତାଙ୍କର ତୃତୀୟ ତଥା ସାନପୁଅ କିମ ଜୋଙ୍ଗ ଉନ ଦେଶର ଦାୟିତ୍ୱ ଭାର ଗ୍ରହଣ କରିଥିଲେ। ଏବେ କିମ ଜୋଙ୍ଗ ଇଲଙ୍କ ମୃତ୍ୟୁକୁ ୧୦ ବର୍ଷ ପୂରଣ ହେବା ପରେ ଉତ୍ତର କୋରିଆର ଲୋକଙ୍କୁ ୧୧ ଦିନ ‘କଠୋର’ ଶୋକ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିନୁଇଜୁ ସହରର ଜଣେ ବାସିନ୍ଦା କହିଛନ୍ତି ଯେ ଶୋକ ଅବଧି ସମୟରେ ଆମେ ମଦ୍ୟପାନ କରି ପାରିବୁ ନାହିଁ। ଏଥି ସହିତ ହସିବା କିମ୍ବା ଅନ୍ୟାନ୍ୟ ସୁଖଦ କାର୍ଯ୍ୟକଳାପ ମଧ୍ୟ କରି ପାରିବୁ ନାହିଁ। ଏହି ସମୟ ମଧ୍ୟରେ ଲୋକମାନେ ସେମାନଙ୍କ ଜନ୍ମଦିନ ବି ପାଳନ କରି ପାରିବେ ନାହିଁ।
୧୭ ଡିସେମ୍ବରରେ କେହି ବି କିଣି ପାରିବେ ନାହିଁ ନୂଆ ଜିନିଷ
କିମ ଜୋଙ୍ଗ ଇଲଙ୍କ ମୃତ୍ୟୁ ୧୭ ଡିସେମ୍ବରରେ ହୋଇଥିଲା। ଏଥିପାଇଁ ଲୋକଙ୍କୁ କଠୋର ଆଦେଶ ରହିଛି ଯେ ଏହି ଦିନ କେହି ବି ବଜାରରୁ ନୂଆ ସାମଗ୍ରୀ କିଣି ପାରିବେ ନାହିଁ। କୌଣସି ଭଲ ଖାଦ୍ୟ ମଧ୍ୟ ଘରେ ତିଆରି ହେବ ନାହିଁ। ଯେଉଁ ଲୋକ ଶୋକ ସମୟରେ ମଦ୍ୟପାନ କରୁଥିବାର କିମ୍ବା ଉତ୍ସବ ପାଳନ କରୁଥିବାର ଦେଖା ଯିବେ, ତ ସେମାନଙ୍କୁ ଗିରଫ କରି ନିଆଯିବ ଏବଂ ଅପରାଧୀ ଭାବରେ ଦଣ୍ଡ ଦିଆଯିବ।
୧୧ ଦିନ ପରେ ହିଁ କରି ପାରିବେ ଅନ୍ତିମ ସଂସ୍କାର
ରିପୋର୍ଟ ମୁତାବକ, ଯଦି ଏହି ୧୧ ଦିନର ଶୋକ ସମୟରେ ପରିବାରରେ କୌଣସି ସଦସ୍ୟଙ୍କର ମୃତ୍ୟୁ ଘଟେ, ସେତେବେଳେ ବି ଲୋକମାନେ ଖୁବ୍ ଜୋର୍ରେ କାନ୍ଦି ପାରିବେ ନାହିଁ। କାରଣ, ଏହି ସମୟରେ କାନ୍ଦିବାକୁ ବାରଣ କରାଯାଇଛି। ଶୋକ ଅବଧି ସରିବା ପରେ ହିଁ ସେମାନେ ନିଜ ପ୍ରିୟଜନଙ୍କ ମୃତଦେହକୁ ବାହାରକୁ ନେଇ ପାରିବେ। ସେପଟେ ପୋଲିସ ଅଧିକାରୀମାନଙ୍କୁ ଲୋକଙ୍କ ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି, ଯେପରି ଏହା ସୁନିଶ୍ଚିତ ହୋଇ ପାରିବ ଯେ ସେମାନେ ଏହି ଶୋକରେ କେତେ ଅଧିକ ଦୁଃଖି ଅଛନ୍ତି।