Below header

ମହଙ୍ଗା ମାଡ଼ରେ ଗ୍ରାହକ ବେହାଲ, ଗ୍ୟାସ୍‌ ଭରି ପାରୁନଥିବାରୁ କବାଡ଼ି ଦୋକାନରେ ବିକୁଛନ୍ତି ଉଜ୍ଜ୍ୱଳା ସିଲିଣ୍ଡର

ଦେଶର ସମସ୍ତ ପରିବାରକୁ ସୁରକ୍ଷିତ ତଥା ସ୍ୱଚ୍ଛ ରୋଷେଇ ଇନ୍ଧନ ଯୋଗାଇଦେବା ଉଦ୍ଦେଶ୍ୟରେ ୧ ମେ ୨୦୨୬ରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା। ସରକାରଙ୍କ ପକ୍ଷରୁ ଏପିଏଲ୍‌ ଓ ବିପିଏଲ୍‌ ରାସନ କାର୍ଡଧାରୀ ମହିଳାଙ୍କୁ ଘରୋଇ ଗ୍ୟାସ୍‌ ଯୋଗାଇ ଦିଆଯାଉଥିଲା। କିନ୍ତୁ ଏବେ ମହଙ୍ଗା ମାଡ଼ ଯୋଗୁ ଲୋକେ ଏହି ସିଲିଣ୍ଡରକୁ କବାଡ଼ି ଦୋକାନରେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଛି। ଫଳରେ ସରକାରଙ୍କ ଉଦ୍ଦେଶ୍ୟ ଧୂଳିସାତ୍‌ ହୋଇଛି।

ବର୍ତ୍ତମାନ ଭୋପାଳର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ କବାଡ଼ି ଦୋକାନରେ ଏକାଧିକ ଉଜ୍ଜ୍ୱଳା ସିଲିଣ୍ଡର ଗଦା ହୋଇଥିବା ଦେଖାଯାଇଛି। ତେବେ ଏହାର କାରଣ ବିଷୟରେ ପତ୍ତା ଲଗାଇବାରୁ ଜଣାପଡ଼ିଛି ଯେ ବର୍ତ୍ତମାନ ମହଙ୍ଗା ମାଡ଼ ଯୋଗୁ ଲୋକଙ୍କ ପାଖରେ ଦୁଇ ଓଳା ଖାଇବା ଯୋଗାଡ଼ କରିବାକୁ ବି ସମ୍ବଳ ନାହିଁ। ଏଭଳି ସ୍ଥିତି ସିଲିଣ୍ଡରରେ ଗ୍ୟାସ୍‌ ପୂର୍ଣ୍ଣ କରିବେ ବା କେଉଁଠୁ! ଏଣୁ ଏଗୁଡ଼ିକୁ ବ୍ୟବହାର କରିପାରୁନଥିବାରୁ କିଛି ଟଙ୍କା ଆଶାରେ ସେମାନେ ସରକାରୀ ସିଲିଣ୍ଡରକୁ କବାଡ଼ିରେ ବିକ୍ରି କରି ଦେଇଛନ୍ତି।

ଏନେଇ ଜଣେ ଗ୍ରାହକ କହିଛନ୍ତି, ଆମ ପାଖରେ ଖାଇବାକୁ ଟଙ୍କା ନାହିଁ। ଏଭଳି ସ୍ଥିତିରେ ଗ୍ୟାସ୍‌ ଦର ଯେଉଁ ରୂପେ ହୁ ହୁ ହୋଇ ବଢ଼ୁଛି, ଆମେ ଟାଙ୍କି ପୂର୍ଣ୍ଣ କରିବାକୁ ଅସମର୍ଥ। ଏଣୁ ଏଗୁଡ଼ିକ ଅଯଥା ଘରେ ପକାଇ ରଖିବା ଅପେକ୍ଷା ବିକ୍ରି କରି ଦେବା ଭଲ ବୋଲି ଭାବି କବାଡ଼ିରେ ବିକ୍ରି କରି ଦେଉଛୁ। ସେହିପରି ସିଲିଣ୍ଡର ସପ୍ଲାଏ କରୁଥିବା ଗାଡ଼ିର ଡ୍ରାଇଭର କହିଛନ୍ତି, ସିଲିଣ୍ଡର ଏତେ ଦାମିକିଆ ହୋଇଯାଇଛି ଯେ ଗ୍ରାହକ ଆଉ ନେବାକୁ ଆସୁ ନାହାନ୍ତି। ସମସ୍ତଙ୍କ ପାଖରେ ସିଲିଣ୍ଡର ଭରିବାକୁ ପଇସା ନାହିଁ। ଏଣୁ ଆମେ ଆଉ ଆଗ ଭଳି ସିଲିଣ୍ଡର ବିକି ପାରୁନୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏବେ ଘରୋଇ ସିଲିଣ୍ଡର ଦର ୯୨୫ରୁ ୧୦୫୦ ମଧ୍ୟରେ ରହିଛି। ଗତ ୬ ମାସ ଭିତରେ ସିଲିଣ୍ଡରର ଦମ୍‌ ପାଖାପାଖି ୧୦୦ ଟଙ୍କା ବଢ଼ିଛି, ଯାହା ଗ୍ରାହକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏଭଳି ସ୍ଥିତିରେ ଲୋକମାନେ ଆଉ ସିଲିଣ୍ଡର ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.