ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆରମ୍ଭ କରିବେ ନିଜର ମିଡିଆ କମ୍ପାନୀ, Twitter ଏବଂ Facebookକୁ ଦେବ କଡ଼ା ଟକ୍କର

ସାଧାରଣ ଲୋକଙ୍କ ସହିତ ସମ୍ପର୍କ ରଖି ପାରୁ ନ ଥିବାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜର ହିଁ ମିଡିଆ କମ୍ପାନୀ ଆରମ୍ଭ କରିବାକୁ ଯାଉଛନ୍ତି। ୧୦ ମାସ ପୂର୍ବେ ଅର୍ଥାତ୍‌ ୬ ଜାନୁଆରୀରେ ଆମେରିକା ସଂସଦ ପରିସରରେ ହୋଇଥିବା ହିଂସାରେ ଟ୍ରମ୍ପ୍‌ଙ୍କ ଭୂମିକା ସାମ୍ନାକୁ ଆସିବା ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିଲା। ଏବେ ବୁଧବାର ସେ ଘୋଷଣା କରି କହିଛନ୍ତି କି, ସେ ଏକ ନୂଆ ମିଡିଆ କମ୍ପାନୀ ଆରମ୍ଭ କରିବେ, ଯାହାର ନିଜର ଏକ ସୋସିଆଲ ମିଡିଆ ମଞ୍ଚ ରହିବ।

ଟ୍ରମ୍ପ୍‌ କହିଛନ୍ତି, ‘ଟ୍ରମ୍ପ୍‌ ମିଡିଆ ଆଣ୍ଡ ଟେକ୍ନୋଲଜି ଗ୍ରୁପ୍‌’ ତଥା ଏହାର ଆପ୍‌ ‘ଟ୍ରୁଥ୍‌ ସୋସିଆଲ’ ଆରମ୍ଭ କରିବାର ଉଦ୍ଦେଶ୍ୟ ହେଉଛି ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସେହି ବିଶାଳ କମ୍ପାନୀଗୁଡ଼ିକର ପ୍ରତିଦ୍ୱନ୍ଦ୍ୱୀ ଛିଡ଼ା କରେଇବା, ଯେଉଁମାନେ ତାଙ୍କର ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି ଏବଂ ତାଙ୍କ ମୁହଁକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି’। ଟ୍ରମ୍ପ୍‌ ଏକ ବୟାନରେ କହିଛନ୍ତି, ‘ଆମେ ଏମିତି ବିଶ୍ୱରେ ରହୁଛେ, ଯେଉଁଠି ତାଲିବାନକୁ ଟ୍ଵିଟରରେ ଜାଗା ଦିଆଯାଇଛି, କିନ୍ତୁ ଆପଣଙ୍କ ପସନ୍ଦର ଆମେରିକୀୟ ରାଷ୍ଟ୍ରପତିଙ୍କୁ ଚୁପ୍‌ କରାଇ ଦିଆଯାଇଛି। ଏହା ସ୍ୱୀକାର୍ଯ୍ୟ ନୁହେଁ’। ‘Digital World Acquisition Corp’ର ମିଶ୍ରଣ ଜରିଆରେ ଏହି ନୂଆ କମ୍ପାନୀ ସୃଷ୍ଟି ହୋଇଛି।

ଟ୍ଵିଟର ଏବଂ ଫେସ୍‌ବୁକରେ ଆକାଉଣ୍ଟ ବନ୍ଦ ହେବା ପରେ ହିଁ ଟ୍ରମ୍ପ୍‌ ନିଜର ସୋସିଆଲ ମିଡିଆ କମ୍ପାନୀ ଆରମ୍ଭ କରିବାର କଥା କହିଛନ୍ତି। ଏହି ଆପ୍‌କୁ ଆସନ୍ତା ମାସରେ ଆରମ୍ଭ କରାଯିବ ଏବଂ ବର୍ଷେ ଭିତରେ ପୂରା ଦେଶରେ ଅଣାଯିବ। ଟ୍ଵିଟର ଦ୍ୱାରା ସ୍ଥାୟୀ ରୂପେ ପ୍ରତିବନ୍ଧିତ ହେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ କହିଥିଲେ ଯେ ତାଙ୍କୁ ଏବଂ ତାଙ୍କ ସମର୍ଥକମାନଙ୍କୁ ଚୁପ୍‌ କରାଯାଇ ପାରିବ ନାହିଁ। କାଲିଫର୍ନିଆରୁ ସଞ୍ଚାଳିତ ସୋସିଆଲ ମିଡିଆ କମ୍ପାନୀର ଏହି ଅପ୍ରତ୍ୟାଶିତ ପଦକ୍ଷେପ ପରେ ଟ୍ରମ୍ପ୍‌ଙ୍କ ଟ୍ଵିଟ୍‌ ସାମ୍ନାକୁ ଆସିଥିଲା। ଏଥିରେ ସେ କହିଥିଲେ, ୨୦ ଜାନୁଆରୀରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ସମାରୋହରେ ସେ ଯୋଗ ଦେବେ ନାହିଁ।

ସ୍ଥାୟୀ ନିଲମ୍ବନ ସମୟରେ ଟ୍ରମ୍ପ୍‌ଙ୍କର ୮.୮୭ କୋଟି ଫଲୋୟର ଥିଲେ ଏବଂ ସେ ୫୧ ଜଣଙ୍କୁ ଫଲୋ କରୁଥିଲେ। ଟ୍ଵିଟରରେ ପ୍ରତିବନ୍ଧିତ ହେବାର କିଛି ଘଣ୍ଟା ପରେ ଟ୍ରମ୍ପ୍‌ ଏକ ବୟାନରେ ରଖିଥିଲେ। ଏହା ଅନୁସାରେ, ‘ଏମିତି ହେବ ବୋଲି ମୁଁ ଅନୁମାନ କରୁଥିଲି। ଆମେ ଅନ୍ୟ ସାଇଟ୍‌ ସହିତ କଥା ହେଉଛୁ ଏବଂ ଏହା ଉପରେ ଜଲ୍‌ଦି ହିଁ ବଡ଼ ଘୋଷଣା କରିବୁ। ମୁଁ ନିକଟ ଭବିଷ୍ୟତରେ ଖୋଦ୍‌ ନିଜର ପ୍ଲାଟଫର୍ମ ବନାଇବା ଉପରେ ମଧ୍ୟ ବିଚାର କରୁଛି। ଆମେ ଚୁପ୍‌ ବସିବୁ ନାହିଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.