ବ୍ରାଜିଲରେ ବଡ଼ ଧରଣର ଏନ୍‌କାଉଣ୍ଟର! ମଲେଣି ୧୮; ଅପରେସନରେ ସାମିଲ ଅଛନ୍ତି ୪୦୦ ପୋଲିସ

ବ୍ରାଜିଲର ରିଓ ଡି ଜନେରିଓରେ ଗୁରୁବାର ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏ ନେଇ ସ୍ଥାନୀୟ ପୋଲିସ କହିଛି ଯେ କିଛି ଅପରାଧୀ ଗ୍ରୁପ୍‌ଙ୍କୁ ଟାର୍ଗେଟରେ ରଖାଯାଇ ଏହି ଅପରେସନ ଆରମ୍ଭ କରାଯାଇଛି। ଖବର ମୁତାବକ, ଏହି ଏନ୍‌କାଉଣ୍ଟରରେ ୧୬ ଅପରାଧୀଙ୍କ ସହ ଜଣେ ଲ’ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଏବଂ ଜଣେ ମହିଳାଙ୍କର ବି ଜୀବନ ଯାଇଛି।

ତେବେ ମହିଳା ଜଣକ ଏହି ଅଞ୍ଚଳରେ ରହୁଥିଲେ। ଗୁଳି ବାଜିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଜୀବନ ରକ୍ଷା କରାଯାଇ ପାରି ନ ଥିଲା। ସୂଚନାଥାଉ କି, ଗୁରୁବାର ଏନକାଉଣ୍ଟର ଆରମ୍ଭ ହୋଇଥିବା ବେଳେ ଏହା ଏ ପର୍ଯ୍ୟନ୍ତ ଜାରି ରହିଛି। ଅପରେସନରେ ପାଖାପାଖି ୪୦୦ ପୋଲିସ ଯବାନ ନିୟୋଜିତ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ପୋଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏଥିରେ ବ୍ରାଜିଲ ପୋଲିସ ୧୦ ବୁଲେଟ୍‌ପ୍ରୁଫ୍‌ ଗାଡ଼ି ସହ ୪ ହେଲିକାପ୍ଟର ବି ବ୍ୟବହାର କରିଛି।

କହି ରଖୁଛୁ, ପୋଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ପ୍ରଥମ ଥର ଲୋକଙ୍କ ଜୀବନ ଯାଇନି। ଏହା ପୂର୍ବରୁ ବି ଗତ ମାସରେ ଏଠାରେ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସୂଚନା ମୁତାବକ, ରିଓର ଫେଭେଲା ଅଞ୍ଚଳରେ ଯେଉଁଠି ଏନକାଉଣ୍ଟର ଚାଲିଛି, ସେଠି ପାଖାପାଖି ୭୦ ହଜାର ଲୋକ ବାସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.