ଟଏଲେଟ୍‌ ସିଟ୍‌ ଚୋରି ଅଭିଯୋଗରେ ଭିନ୍ନ ଜାତିର ଯୁବକଙ୍କୁ ବିଜେପି ନେତାଙ୍କ ମାଡ଼; ମୁଣ୍ଡ ଲଣ୍ଡା କରି ମୁହଁରେ ବୋଳି ଦେଲେ କାଳି!

ଉତ୍ତର ପ୍ରଦେଶର ବହରାଇଚରେ ଟଏଲେଟ୍‌ ସିଟ୍‌ ଚୋରି ଅଭିଯୋଗରେ ଭିନ୍ନ ଜାତିର ଜଣେ ଯୁବକଙ୍କ ସହ ମାରପିଟ କରାଯାଇଛି। ଏତିକି ନୁହେଁ, ଯୁବକଙ୍କ ମୁହଁରେ କାଳି ବୋଳା ଯାଇଥିଲା ଏବଂ ତାଙ୍କୁ ଲଣ୍ଡା କରି ଦିଆଯାଇଥିଲା। ପୋଲିସ ସୂଚନା ମୁତାବକ, ସ୍ଥାନୀୟ ବିଜେପି ନେତା ଏବଂ ତାଙ୍କର ଦୁଇ ସହଯୋଗୀ ମିଶି ରାଜେଶ କୁମାର ନାମକ ଯୁବକଙ୍କୁ ଏକ ଖମ୍ବରେ ବାନ୍ଧି ଦେଇଥିଲେ। ଏହାପରେ ତାଙ୍କ ମୁହଁରେ କାଳି ବୋଳି ତାଙ୍କୁ ଖୁବ୍‌ ମାଡ଼ ମାରିଥିଲେ। ଅଭିଯୋଗ ରହିଛି ଯେ ଯୁବକ ଜଣକ ହରଦି ଅଞ୍ଚଳରେ ଥିବା ଏକ ଘରୁ ଟଏଲେଟ୍‌ ସିଟ୍‌ ଚୋରି କରିଛନ୍ତି।

ଶ୍ରମିକ ଭାବେ କାମ କରୁଥିବା ୩୦ ବର୍ଷୀୟ ରାଜେଶ କୁମାରଙ୍କ ସହ ମାରପିଟ, ତାଙ୍କ ମୁହଁରେ କାଳି ବୋଳିବା ଏବଂ ତାଙ୍କୁ ଲଣ୍ଡା କରାଯିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ କହିଛି କି, ବିଜେପି ନେତା ଫେରାର ଥିବା ବେଳେ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି।

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ ଯେତେବେଳେ ଯୁବକଙ୍କ ମୁହଁରେ କାଳି ବୋଳା ଯାଉଛି ଏବଂ ତାଙ୍କୁ ଲଣ୍ଡା କରାଯାଉଛି, ସେହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ ଭିଡିଓ ରେକର୍ଡ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେହି ବି ଅଭିଯୁକ୍ତଙ୍କ ସହ ଏପରି ନ କରିବାକୁ କହୁ ନାହାନ୍ତି।

ସେପଟେ ପୀଡ଼ିତ ଅଭିଯୁକ୍ତ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ବିଜେପି ନେତା ଏବଂ ତାଙ୍କ ସମର୍ଥକମାନେ ତାଙ୍କୁ ନେଇ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି, ସମ୍ବନ୍ଧିତ ଧାରାରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ନିଆଯାଇଛି ଏବଂ ତୃତୀୟ ଅଭିଯୁକ୍ତଙ୍କୁ ଖୋଜାଖୋଜି ଚାଲିଛି। ଅଧିକାରୀଙ୍କ କହିବା ହେଲା, ଯଦି ସେମାନେ ଚୋରିର ସନ୍ଦେହ କରୁଥିଲେ, ତେବେ ପୋଲିସ ପାଖକୁ ଆସିବାର ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.