ବ୍ରହ୍ମୋସର ପରୀକ୍ଷଣ ସଫଳ, ଆରବ ସାଗରରେ ସଠିକ୍‌ ଭାବେ କଲା ଲକ୍ଷ୍ୟଭେଦ

ଭାରତୀୟ ନୌସେନା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ସଫଳ ପରୀକ୍ଷଣ କରିଛି। ଏହି ଟେଷ୍ଟ ସ୍ୱଦେଶୀ ଷ୍ଟିଲ୍‌ଥ ବିଧ୍ୱଂସକ ଆଇଏନ୍‌ଏସ୍‌ ଚେନ୍ନାଇରୁ କରାଯାଇଛି। ଏ ଅବସରରେ ମିସାଇଲ ଆରବ ସାଗରରେ ଥିବା ନିଜ ଲକ୍ଷ୍ୟକୁ ପିନ୍‌ ପଏଣ୍ଟରେ ସଫଳତାପୂର୍ବକ ହିଟ୍‌ କରିଛି। ଭାରତୀୟ ନୌସେନା ବ୍ରହ୍ମୋସ ମାଧ୍ୟମରେ ଲମ୍ବା ଦୂରତାରେ ଥିବା ନିଜ ଲକ୍ଷ୍ୟକୁ ଭେଦ କରିବାରେ ସକ୍ଷମ ହୋଇଛି।

ଏହି ମିସାଇଲ ଶବ୍ଦ ଠାରୁ ୨.୮ ଗୁଣ ଅଧିକ ବେଗରେ ନିଜ ଲକ୍ଷ୍ୟ ଭେଦ କରିବା କ୍ଷମତା ରଖିଛି। ଏହା ପୂର୍ବରୁ ଡିଆରଡିଓ ଓ ଋଷର ବୈଜ୍ଞାନିକଙ୍କ ମିଳିତ ପ୍ରୟାସରେ ନିର୍ମିତ ଭୂମିରୁ ଭୂମିକୁ ଉତ୍‌କ୍ଷେପଣ ହେଉଥିବା କ୍ରୁଜ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ କରିଥିଲେ। ଏହା ୮.୪ ମିଟର ଲମ୍ବା ଓ ୦.୬ ମିଟର ଚଉଡ଼ା। ଏହାର ଓଜନ ୩୦୦୦ କିଲୋଗ୍ରାମ। ଏହି ମିସାଇଲ ୩୦୦ କିଲୋଗ୍ରାମ୍‌ ଓଜନ ପର୍ଯ୍ୟନ୍ତ ବିସ୍ଫୋରକ ଧାରଣ କରିପାରେ। ସେହିପରି ୩୦୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ପ୍ରହାର କରିବା କ୍ଷମତା ରଖେ।

ବ୍ରହ୍ମୋସକୁ ମାଟି, ପାଣି, ପବନ ଓ ମୋବାଇଲ ଲଞ୍ଚରରେ ଉତ୍‌କ୍ଷେପଣ କରିହେବ। ବ୍ରହ୍ମୋସର ପ୍ରଥମ ପରୀକ୍ଷଣ ୧୨ ଜୁନ୍‌,୨୦୦୧ରେ ଆଇଟିଆର ଚାନ୍ଦିପୁରରୁ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ଭାରତ ନୂଆ ନୂଆ ପ୍ରକାରର ମିସାଇଲ ସହ ପୁରୁଣା ମିସାଇଲର ପରୀକ୍ଷଣ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.