କନ୍ୟାକୁ ପସନ୍ଦ ଆସିଲାନି ବର ଦେଇଥିବା ଲେହେଙ୍ଗା, ଭାଙ୍ଗିଗଲା ବାହାଘର

କେନ୍ୟୁଜ୍ : ଆଉ ଦିନ କେଇଟାରେ ହାତକୁ ହାତ ଛନ୍ଦି ସାତ ଜନମର ସାଥୀ ହୋଇ ଥାନ୍ତେ ଦୁଇ ପୁଅ ଝିଅ । କିଶୋରୀଟିଏ ମଥାରେ ସିନ୍ଦୁର ଆଉ ପାଦରେ ଅଳତା ପିନ୍ଧି ସେହି ଅଚିହ୍ନା ପୁଅକୁ ଇହକାଳ ପରକାଳର ସାଥୀ କରିଥାନ୍ତା । ହେଲେ ମାତ୍ର ଗୋଟିଏ ଭୁଲ ବୁଝାମଣା ପାଇଁ ସବୁ ଓଲଟ ପାଲଟ ହୋଇଗଲା । ସବୁ ସ୍ୱପ୍ନ ଭାଙ୍ଗିଗଲା ।

ଏମିତି ଏକ ଅଲୋଡ଼ା ଘଟଣା ଘଟିଛି ଉତ୍ତରାଖଣ୍ଡର ହଲଦ୍ୱାନିରେ । ଦୁଇ ପୁଅ ଝିଅଙ୍କର ବାହାଘର ସ୍ଥିର ହୋଇ ଯାଇଥିଲା । ନିର୍ବନ୍ଧ ମଧ୍ୟ ସରିଥିଲା । ପୁଅ ଘର ଲୋକ କାର୍ଡ ବି ଛପାଇ ସାରିଥିଲେ । ମାତ୍ର ଗୋଟିଏ ଛୋଟିଆ କାରଣ ପାଇଁ କନ୍ୟା ବାହା ହେବାକୁ ମନା କରି ଦେଇଥିଲା । କନ୍ୟା ବିବାହ ପାଇଁ ମନା କରିବାର କାରଣ ହେଉଛି,ବର ପଠେଇଥିବା ଲେହେଙ୍ଗା । ବର ନିଜେ ଲକ୍ଷ୍ନୌରୁ ୧୦ ହଜାର ଟଙ୍କାର ଲେହେଙ୍ଗା ମଗାଇ କନ୍ୟା ଘରକୁ ପଠାଇଥିଲା । ଭାବିଥିଲା ଭାବୀ ପତ୍ନୀ ଖୁସିରେ ଝୁମି ଉଠିବେ ଏଇ ଲେହେଙ୍ଗାକୁ ଦେଖି । କିନ୍ତୁ କନ୍ୟାକୁ ଲେହେଙ୍ଗା ପସନ୍ଦ ଆସିଲା ନାହିଁ। ଏହା ଅତି କମ୍‌ ଦାମ୍‌ର ଥିଲା ବୋଲି କନ୍ୟା ଏହାକୁ ପସନ୍ଦ କରିନଥିଲା । ଯାହା ଫଳରେ ସିଧା ସଳଖ ବାହା ହେବାକୁ ମନା କରି ଦେଇଥିଲା ।

ଏକଥା ଜାଣିବା ପରେ ପୁଅ ଘର ଭୀଷଣ ରାଗି ଗଲେ । ଘଟଣାଟି ତୀବ୍ର ରୂପ ନେଲା । ଏହି ସମସ୍ୟାର ସମାଧାନ ପାଇଁ ଦୁଇପକ୍ଷର ଲୋକ ହଲଦ୍ୱାନୀ ଥାନାରେ ପହଞ୍ଚିଲେ । ସେଠାରେ ମଧ୍ୟ ଦୁଇ ପକ୍ଷଙ୍କ ଭିତରେ ଭୀଷଣ ଝଗଡ଼ା ହେଲା । ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଚାଲିଲା । କେହି କାହାକୁ ଛାଡ଼ିବାକୁ ପ୍ରସ୍‌ୁତ ନଥିଲେ । ପରିସ୍ଥିତି ଏମିତି ହୋଇଥିଲା କି ପୋଲିସ ଉପସ୍ଥିତିରେ ବହୁତ ବୁଝାଶୁଝା କରିବା ପରେ ସମସ୍ୟାର ସମାଧାନ ହୋଇଥିଲା ।

ପୋଲିସର କହିବା ଅନୁସାରେ ଦୁଇ ପକ୍ଷଙ୍କ ଭିତରେ ଉପୁଜିଥିବା ବିବାଦର ସମାଧାନ ହୋଇଯାଇଛି ହେଲେ ବାହାଘର ଆଉ ହେବ ନାହିଁ । ତେବେ ସୂଚନା ଅନୁସାରେ ଏହି ବର କନ୍ୟାଙ୍କର ନିର୍ବନ୍ଧ ଜୁନ ମାସରେ ହୋଇଥିଲା । ବାହାଘର ନଭେମ୍ବର ମାସରେ ହେବ ବୋଲି ସ୍ଥିର ହେଇଥିଲା । ଝିଅ ଘର ହଲ୍ଦ୍ୱାନିର ନୈନିତାଲରେ ହୋଇଥିବା ବେଳେ ପୁଅ ପକ୍ଷର ଘର ଆଲମୋଡ଼ାରେ । ଏବେ ଏହି ଦୁଇ ପରିବାରର ସହମତିରେ ବାହାଘର ବନ୍ଦ ହୋଇ ଯାଇଛି । ଥାନାରେ ମାମଲାର ସମାଧାନ ପରେ ଦୁଇ ପକ୍ଷ ଲୋକ ନିଜ ନିଜ ଘରକୁ ଯାଇଛନ୍ତି । ତେବେ ଏକଥା ରହସ୍ୟ ଭିତରେ ରହିଗଲା ଯେ ଖାଲି କମ୍‌ ଦାମ୍‌ର ଲେହେଙ୍ଗାକୁ ନେଇ ବାହାଘର ଭାଙ୍ଗିଲା ନା ବାହାଘର ଭାଙ୍ଗିବା ପଛରେ ଆଉ କିଛି କାରଣ ରହିଲା ?

Leave A Reply

Your email address will not be published.