Below header

ବଡ଼ ଦୁର୍ଘଟଣା : କୋଲକାତାରେ ଧସିଲା ଫ୍ଲାଏ ଓଭର

କୋଲକାତା : ଆଜି ଅପରାହ୍ନ ପ୍ରାୟ ୪.୪୫ ମିନିଟରେ ଦକ୍ଷିଣ କୋଲକାତାର ମାଜେରହାଟ ଫ୍ଲାଏଓଭରର ଏକ ଅଂଶ ଧସିପଡ଼ିଛି । ଏହି ୪୦ ବର୍ଷର ପୋଲ ଭୁଶୁଡ଼ି ଦୁଇଭାଗ ହୋଇଯାଇଛି । ପୋଲ ଭୁଶୁଡ଼ି ପଡ଼ିବା ଫଳରେ କିଛି ଲୋକ ଆହତ ହୋଇଛନ୍ତି । ଅନେକ ଯାନବାହନ ଏହା ତଳେ ଦବି ଯାଇଛି । କିଛି ଲୋକ ଗାଡ଼ି ଭିତରେ ଫସି ରହିଥିବା କୁହାଯାଉଛି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସାରିଛି ଏବଂ ଦୁର୍ଘଟଣାରେ କେହି ମରି ନାହାନ୍ତି ବୋଲି ମନ୍ତ୍ରୀ ଫିରହାଦ ହକିମ କହିଛନ୍ତି । ଏବେ କ୍ରେନ୍ ଦ୍ବାରା ଭୁଶୁଡ଼ି ପଡ଼ିଥିବା ନିର୍ମାଣଗୁଡ଼ିକୁ ବାହାର କରାଯାଉଛି । ନିକଟସ୍ଥ ୱିଲିୟମ ଫୋର୍ଟରେ ସେନାର ଏକ କ୍ୟାମ୍ପ ରହିଛି । ସେଠାରୁ ସେନା କର୍ମଚାରୀ ଆସି ଅଗ୍ନିଶମ, ଏନଡିଆରଏଫ ସହ ମିଶି ଉଦ୍ଧାର କାର୍ଯ କରିଥିଲେ । ତେବେ ଅଫିସ୍ ଛୁଟି ହେବା ପୂର୍ବରୁ ଏହି ପୋଲ ଭୁଶୁଡ଼ିଥିବାରୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବା କୁହାଯାଉଛି । ଅଲୀପୁର ନିକଟରେ ଥିବା ଏହି ଫ୍ଲାଏଓଭର ତଳେ କିଛି ରେଲ୍ ଟ୍ରାକ୍ ରହିଛି । ତେଣୁ ଏହି ବାଟେ ଯାଉଥିବା ଟ୍ରେନଗୁଡ଼ିକୁ ବାତିଲ କରି ଦିଆଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଦାର୍ଜିଲିଂ ଗସ୍ତରେ ଅଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଘଟଣାର ବିଧିବଦ୍ଧ ତଦନ୍ତ ହେବ ବୋଲି ସେ କହିଛନ୍ତି । ସନ୍ଧ୍ୟାରେ ଦାଜିଂଲିଂରୁ କୋଲକାତାକୁ କୌଣସି ବିମାନ ନଥିବାରୁ ସେ ଆସି ପାରୁ ନାହାନ୍ତି ବୋଲି ମମତା କହିଛନ୍ତି ।

 

BRIDGE COLLAPSE-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.