ଅତିରିକ୍ତ ଉଡ଼ାଣ ପାଇଁ ଭାରତକୁ ଅନୁମତି ଦେଲାନି ବ୍ରିଟେନ, ଉଡ଼ାଣରେ ୩୦ ପ୍ରତିଶତ ହ୍ରାସ କରିବ ଅଷ୍ଟ୍ରେଲିଆ

ବ୍ରିଟେନର ସବୁଠାରୁ ବଡ଼ ତଥା ବ୍ୟସ୍ତବହୁଳ ବିମାନବନ୍ଦର ‘ହିଥ୍ରୋ’ ଭାରତକୁ ୮ ଅତିରିକ୍ତ ଉଡ଼ାଣ ସଞ୍ଚାଳନ ପାଇଁ ଅନୁମତି ଦେବାକୁ ମନା କରି ଦେଇଛି। କରୋନା ଭାଇରସ୍‌ ମହାମାରୀକୁ ନଜରରେ ରଖି ଦେଶରେ ଶୁକ୍ରବାରଠାରୁ ରେଡ୍‌ ଲିଷ୍ଟ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ବିମାନବନ୍ଦନ ପକ୍ଷରୁ କୁହାଯାଇଛି, ପାସପୋର୍ଟ ନିୟନ୍ତ୍ରଣ କକ୍ଷ ଉପରେ ଅତିରିକ୍ତ ବୋଝ ନ ପଡ଼ିବା ଏବଂ ଲମ୍ବା ଲାଇନ୍‌ ନ ଲାଗିବା ପାଇଁ ଅତିରିକ୍ତ ଉଡ଼ାଣର ଅନୁମତି ଦିଆଗଲା ନାହିଁ।

ଚଳିତ ସପ୍ତାହ ଆରମ୍ଭରେ ହାଉସ୍‌ ଅଫ୍‌ କମନ୍ସରେ ଭାରତକୁ ରେଡ୍‌ ଲିଷ୍ଟରେ ସାମିଲ କରିବାକୁ ଘୋଷଣା କରାଯାଇଥିଲା। ବ୍ରିଟେନରେ କରୋନା ଭାଇରସ୍‌ର ନୂଆ ଭେରିଏଣ୍ଟର ୧୦୩ ମାମଲା ସାମ୍ନାକୁ ଆସିଛି। ଏହା ଏମିତି ଭେରିଏଣ୍ଟ, ଯାହାର ପତ୍ତା ପ୍ରଥମେ ଭାରତରେ ହିଁ ମିଳିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହେନକାକ୍‌ କହିଛନ୍ତି, ଏହି ନିଷ୍ପତ୍ତି ତଥ୍ୟ ଅଧ୍ୟୟନ କରିବା ପାଇଁ ନିଆଯାଇଛି। ଏହା ଅଧୀନରେ ଯିଏ ବ୍ରିଟେନର ନାଗରିକ ନୁହଁନ୍ତି ଏବଂ ବିଗତ ୧୦ ଦିନ ହେବ ଭାରତରେ ରହୁଛନ୍ତି, ସେମାନଙ୍କୁ ଏଠାକୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ।

ଏହାରି ଭିତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଗୁରୁବାର ଭାରତ ଏବଂ କରୋନାଗ୍ରସ୍ତ ଅନ୍ୟ ଦେଶରୁ ଆସୁଥିବା ବିମାନ ଉଡ଼ାଣରେ ୩୦ ପ୍ରତିଶତ କମାଇ ଦେବାକୁ ଘୋଷଣା କରିଛନ୍ତି। ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଥିବାର ଦେଖି ଅଷ୍ଟ୍ରେଲିଆ ଏହି ନିଷ୍ପତ୍ତି ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.