Below header

ଯାତ୍ରୀବାହୀ ବସ୍‌ରେ ୧୦ ମିନିଟ୍‌ ଧରି ଚାଲିଲା ଅସଦାଚରଣ! କେହି ବି ଆସିଲେନି ମହିଳାଙ୍କୁ ସାହାଯ୍ୟ କରିବାକୁ, ଚୁପ୍‌ ହୋଇ ସବୁ ଦେଖିଲେ

ମହିଳାମାନଙ୍କୁ ପ୍ରତି ପାଦରେ ବିପଦ ଆଶଙ୍କା ରହୁଛି। ଅନେକ କ୍ଷେତ୍ରରେ ସେମାନେ ଅସଦାଚରଣର ଶିକାର ହେଉଛନ୍ତି। ପବ୍ଲିକ୍‌ ଟ୍ରାନ୍ସପୋର୍ଟରେ ଏହି ଆଶଙ୍କା ଅନେକ ଗୁଣା ବଢ଼ି ଯାଉଛି। ଏଥିରେ ସବୁଠାରୁ ଅଧିକ ଦୁଃଖଦାୟକ କଥା ଥାଏ ଯେ ଯେତେବେଳେ ସମସ୍ତେ ସବୁ ଦେଖି ଟିକିଏ ବି ସାହାଯ୍ୟ କରିବାକୁ ଆଗେଇ ଆସି ନ ଥାଆନ୍ତି। ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କ ସହ ଠିକ୍‌ ଏମିତି ହିଁ ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍‌ରେ ମହିଳା ଜଣକ ଅସଦାଚରଣର ଶିକାର ହୋଇଛନ୍ତି। ମହିଳାଙ୍କ ପଛ ସିଟ୍‌ରେ ବସିଥିବା ଜଣେ ବ୍ୟକ୍ତି ତାଙ୍କୁ ୧୦ ମିନିଟ୍‌ ଧରି ଅସଦାଚରଣ କରି ଚାଲିଥିଲେ। ହେଲେ କେହି ବି ପ୍ରତିବାଦ କରି ନ ଥିଲେ, ବରଂ ଚୁପ୍‌ଚାପ ଛିଡ଼ା ହୋଇ ସବୁ ଦେଖିଥିଲେ। ଏବେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛି।

ଦେଖି ମଧ୍ୟ କଲେ ଅଣଦେଖା

ରିପୋର୍ଟ ମୁତାବକ, ୧୬ ନଭେମ୍ବରରେ ଜଣେ ମହିଳା ବ୍ରିଷ୍ଟଲ ସିଟି ସେଣ୍ଟରରୁ ୭୬ ନମ୍ବର ବସ୍‌ରେ ଚଢ଼ିଥିଲେ। ମହିଳାଙ୍କ ପଛ ସିଟ୍‌ରେ ଜଣେ ବ୍ୟକ୍ତି ବସିଥିଲେ, ଯିଏକି ପାଖାପାଖି ୧୦ ମିନିଟ୍‌ ଧରି ତାଙ୍କୁ ପ୍ରତାଡିତ କରି ଚାଲିଥିଲେ। ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟାରେ ଘଟିଥିଲା। ସେହି ସମୟରେ ବସ୍‌ରେ ଯାତ୍ରୀମାନେ ଭରପୂର ଥିଲେ। ଏହା ସତ୍ତ୍ୱେ କେହି ବି ମହିଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ। ସମସ୍ତେ ସବୁ ଦେଖି ଘଟଣାକୁ ଅଣଦେଖା କରିଥିଲେ।

ଲୋକଙ୍କୁ ସାହାଯ୍ୟ ମାଗିଲା ପୋଲିସ

ବସ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି। ଏବେ ପୋଲିସ ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଛି। ପୋଲିସ ଅଭିଯୁକ୍ତଙ୍କ ଫଟୋ ମଧ୍ୟ ଜାରି କରି ତାଙ୍କ ପରିଚୟ ଜଣେଇବାକୁ ଲୋକଙ୍କୁ ଅପିଲ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ମହିଳାଙ୍କଠାରୁ ଅଭିଯୋଗ ପାଇ ଆମେ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛୁ। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ଏବଂ ଖୁବ୍‌ଶୀଘ୍ର ତାଙ୍କୁ ଧରାଯିବ। ସିସିଟିଭି ଫୁଟେଜରେ ତାଙ୍କ ଫଟୋ ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ, ତଥାପି ଏହାଦ୍ୱାରା ଅଭିଯୁକ୍ତଙ୍କୁ ଚିହ୍ନିବା ସହଜ ହେବ।

ପୀଡ଼ିତା ମହିଳା ନିଜ ଅଭିଯୋଗରେ କହିଛନ୍ତି, ପଛ ସିଟ୍‌ରେ ବସିଥିବା ବ୍ୟକ୍ତି ତାଙ୍କୁ ଖରାପ ଉଦ୍ଦେଶ୍ୟରେ ବାରମ୍ବାର ଛୁଉଁଥିଲେ। ଏ ସବୁ ସେ ପର୍ଯ୍ୟନ୍ତ ଚାଲିଥିଲା, ଯେ ପର୍ଯ୍ୟନ୍ତ ସେ ବସ୍‌ରୁ ଓହ୍ଲାଇ ନ ଥିଲେ। ମହିଳା ଜଣକ ବ୍ୟକ୍ତିଙ୍କୁ ପ୍ରତିବାଦ ମଧ୍ୟ କରିଥିଲେ। ତଥାପି ସେ ନିଜ ହରକତ ବନ୍ଦ କରି ନ ଥିଲେ। ଲଗାତାର ୧୦ ମିନିଟ୍‌ ଧରି ସେ ତାଙ୍କୁ ଅସଦାଚରଣ କରି ଚାଲିଥିଲେ। ତେବେ ଏମିତି ଘଟଣା ପ୍ରଥମ ନୁହେଁ, ଏହି ପରି ଅନେକ ମାମଲା ସାମ୍ନାକୁ ଆସୁଛି, ଯେଉଁଠି ଲୋକେ ମହିଳାଙ୍କ ସହିତ ଅସଦାଚରଣ ହେଉଥିବାର ଦେଖି ମଧ୍ୟ ସାହାଯ୍ୟ ପାଇଁ ହାତ ବଢ଼ାଉ ନାହାନ୍ତି। ସେମାନଙ୍କର ପୂରା ଧ୍ୟାନ ଘଟଣାର ଭିଡିଓ ବନାଇବା ଭିତରେ ହିଁ ସୀମିତ ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.