‘ବନ୍ଦ ହେବନି କୃଷକଙ୍କ ଆନ୍ଦୋଳନ’: କୃଷି ଆଇନ୍‌ ପ୍ରତ୍ୟାହାର ପରେ ଏଭଳି ପ୍ରତିକ୍ରିୟା ଦେଲେ ରାକେଶ ଟିକାୟତ

କେନ୍ଦ୍ର ସରକାରଙ୍କ ତରଫରୁ ୩ଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପରେ ମଧ୍ୟ ଆନ୍ଦୋଳନ ବନ୍ଦ କରିବାକୁ ମନା କରିଛନ୍ତି ଭାରତୀୟ କୃଷକ ସଂଗଠନର ମୁଖ୍ୟ ରାକେଶ ଟିକାୟତ। ରାକେଶ କହିଛନ୍ତି, କୃଷି ଆଇନ୍‌ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନ ଏବେ ସରିବ ନାହିଁ। ତାଙ୍କ କହିବାନୁସାରେ, ଆନ୍ଦୋଳନ ତତ୍କାଳ ବନ୍ଦ ହେବ ନାହିଁ, କୃଷି ଆଇନ୍‌ ସଂସଦରେ ରଦ୍ଦ ହେବା ଯାଏଁ ଆମେ ଅପେକ୍ଷା କରିବୁ। ସରକାର ଏମ୍‌ଏସ୍‌ପି ସହ କୃଷକଙ୍କ ଅନ୍ୟ ଦାବିଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ।

ଆଜି ଗୁରୁ ନାନକ ଦେବ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରି କହିଛନ୍ତି, କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନ୍‌କୁ ପ୍ରତ୍ୟାହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସମସ୍ତ କୃଷକଙ୍କୁ ଆନ୍ଦୋଳନ ବନ୍ଦ କରି ନିଜ ନିଜ ଘରକୁ ଫେରିଯିବାକୁ ଅନୁରୋଧ ମଧ୍ୟ କରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ରାକେଶ ଟିକାୟତ କହିଛନ୍ତି, ତାଙ୍କ ଆନ୍ଦୋଳନ ଏବେ ଶେଷ ହେବ ନାହିଁ।


ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖିଛି। କେନ୍ଦ୍ର ସରକାର ସବୁବେଳେ କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦେଇଛନ୍ତି। ଦୀର୍ଘ ଦିନ ହେଲା ରାସ୍ତାରେ ବସିଥିବା ଚାଷୀମାନେ ନିଜ ନିଜ ଘରକୁ ଫେରି ଯାଆନ୍ତୁ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ। ଦେଶରେ ଶହେରୁ ୮୦ ଜଣ ହେଉଛନ୍ତି କ୍ଷୁଦ୍ରଚାଷୀ।

ଦେଶରେ କ୍ଷୁଦ୍ରଚାଷୀଙ୍କ ସଂଖ୍ୟା ୧୦ କୋଟିରୁ ଅଧିକ । କ୍ଷୁଦ୍ର ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ମୋଦି।
ପ୍ରକାଶ ଯେ ୨୦୨୦ ସେପ୍ଟେମ୍ବର ୧୭ରେ ସଂସଦରେ ୩ କୃଷି ଆଇନ ସଂସଦରେ ପାସ୍ ହୋଇଥିଲା। ଏହାପରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଶତାଧିକ କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.