ଶାଳୀକୁ ଦୁଷ୍କର୍ମ ଉଦ୍ୟମ କରି ବେକ କାଟି ଦେଲା ଭିଣୋଇ, ପରେ ନିଜେ ବି ଜୀବନ ହାରି ଦେଲା

ନୂଆଦିଲ୍ଲୀ : ଭିଣୋଇ ଶାଳୀର ସମ୍ପର୍କ ଟିକେ ଭିନ୍ନ । ଥଟ୍ଟା ମଜା ସହିତ ଦୃଢ଼ ହୋଇଥାଏ ଏହି ସମ୍ବନ୍ଧ । ହେଲେ ଉତ୍ତର ପ୍ରଦେଶର ଲଲିତପୁର ଅଞ୍ଚଳରେ ଜଣେ ଭିଣୋଇ ଏଭଳି କାଣ୍ଡ କଲେ ଯେ ଏଥିରେ ଏବେ ଦୁଇଟି ପରିବାର ଉଚ୍ଛନ୍ନ ହୋଇ ଯାଇଛି । ଅବିବେକୀ ଭିଣୋଇ ନିଜ ଶାଳୀକୁ ଦୁଷ୍କର୍ମ କରିବା ଲାଗି ଉଦ୍ୟମ କରିଥିଲା । ହେଲେ ଏଥିରେ ସଫଳ ନହେବାରୁ ତାର ତଣ୍ଟି କାଟି ଦେଲା । ଆଉ ପରେ ନିଜେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଏପଟେ ଶାଳୀ ଗୁରୁତର ଆହତ ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛି ।
ଲଲିତପୁର ଜାଖଲୋନ ଥାନା ଅନ୍ତର୍ଗତ ମାଦୌନ ଗାଁରେ ଏହି ଘଟଣା ଘଟିଛି । ଜ୍ୱାଇଁ ନାଗେନ୍ଦ୍ର ପ୍ରାୟ ଦୁଇ ମାସ ହେବ ନିଜ ଶ୍ୱଶୁର ଘରେ ରହି ଆସୁଥିଲା । ଗତ ଗୁରୁବାର ଦିନ ଘରେ ଅନ୍ୟମାନେ ନଥିବା ବେଳେ ସେ ନିଜ ଶାଳୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ତେବେ ଶାଳୀ ତୀବ୍ର ବିରୋଧ କରିବାରୁ ଏକ ଧାରୁଆ ଅସ୍ତ୍ରରେ ନାଗେନ୍ଦ୍ର ତାର ବେକ କାଟି ଦେଇ ଘରୁ ପଳାଇ ଯାଇଥିଲା । ପରେ ହୁଏତ ନିଜର ଭୁଲ ବୁଝି ପାରି ଭୟରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରି ଦେଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ତଦନ୍ତ କରୁଛି ।