Below header

ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ରୁଷୀୟ ସୈନିକଙ୍କୁ ଦିଆଯାଇଛି ଟାର୍ଗେଟ୍‌! ୟୁକ୍ରେନ ଦେଲା ଆଶ୍ଚର୍ଯ୍ୟଜନକ ବୟାନ…

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧ ମାସ ବିତିଗଲାଣି। ଏହି ଯୁଦ୍ଧରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ଶରଣାର୍ଥୀ ଜୀବନ ଜିଉଁଛନ୍ତି। ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଏହି ଯୁଦ୍ଧ ସରିବ କେବେ? ଏ ସବୁ ଭିତରେ ୟୁକ୍ରେନର ସଶସ୍ତ୍ର ଫୋର୍ସର ଜେନେରାଲ ଷ୍ଟାଫ୍‌ ଗୁଇନ୍ଦା ସୂଚନା ଦେଇଛନ୍ତି। ତାଙ୍କ ମୁତାବକ, ରୁଷ ମେ’ ୯ ସୁଦ୍ଧା ଯୁଦ୍ଧ ସମାପ୍ତ କରିପାରେ। ଅର୍ଥାତ୍‌ ଏହି ତାରିଖ ସୁଦ୍ଧା ରୁଷ ଯୁଦ୍ଧ ଶେଷ କରିବାକୁ ଚାହୁଁଛି।

ଗୁଇନ୍ଦା ସୂଚନା ମୁତାବକ, ରୁଷୀୟ ସୈନ୍ୟମାନଙ୍କୁ କୁହାଯାଇଛି କି, ମେ’ ୯ ସୁଦ୍ଧା ଯୁଦ୍ଧ ଶେଷ ହେବା ଦରକାର। ସେପଟେ ୟୁକ୍ରେନର ଲୋକପାଳ ଲ୍ୟୁଡ୍‌ମିଲା ଡେନିସୋଭା ଦାବି କରିଛନ୍ତି, ରୁଷ ୮୪,୦୦୦ ପିଲାଙ୍କ ସମେତ ୪,୦୨,୦୦୦ ୟୁକ୍ରେନ ନାଗରିକଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ନିଜ ଦେଶକୁ ନେଇ ଯାଇଛି।

ଏହା ପୂର୍ବରୁ ଯୁଦ୍ଧ କାରଣରୁ ୟୁକ୍ରେନରେ ଉତ୍ପନ୍ନ ମାନବୀୟ ସଙ୍କଟ ସ୍ଥିତିକୁ ନେଇ ନାଟୋର ଜରୁରୀ ବୈଠକରେ ଏକ ପ୍ରସ୍ତାବ ଅଣାଯାଇଥିଲା। ଏହି ପ୍ରସ୍ତାବକୁ ୧୪୦ ମତ ସହିତ ପାରିତ କରାଯାଇଥିଲା। ବୈଠକରେ ୩୮ ଦେଶ ଅନୁପସ୍ଥିତ ଥିବା ବେଳେ ୫ ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ।

ସେପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ଷ୍ଟାଫ୍‌ ମୁଖ୍ୟଙ୍କ ପରାମର୍ଶଦାତା ଓଲେକ୍ସି ଏରେଷ୍ଟୋଭିଚ୍‌ ଏକ ଆଶ୍ଚର୍ଯ୍ୟଜନକ ବୟାନ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନ ଯୁଦ୍ଧ ରୋକିବାକୁ ନେଇ କୌଣସି ଆଶା ନାହିଁ। ଏହି ଯୁଦ୍ଧ ମେ’ ସୁଦ୍ଧା ଶେଷ ହୋଇଯିବ। କାହିଁକି ନା, ସେ ପର୍ଯ୍ୟନ୍ତ ରୁଷ ପାଖରେ ଥିବା ସମସ୍ତ ଜରୁରୀ ସଂସାଧନ ସମାପ୍ତ ହୋଇ ଯାଇଥିବ’। କହି ରଖୁଛୁ, ଫେବୃଆରୀ ୨୪ରେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧରେ ୟୁକ୍ରେନ ତରଫରୁ ୧୦,୦୦୦ ରୁଷୀୟ ସୈନିକଙ୍କୁ ମରାଯାଇଥିବା ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.