ଆଫଗାନିସ୍ତାନରେ ଆତ୍ମଘାତୀ କାର ବିସ୍ଫୋରଣରେ ୩୪ ଯବାନ ମୃତ, ୩୬ରୁ ଊର୍ଦ୍ଧ୍ୱ ଗୁରୁତର

ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନି। ଆତଙ୍କବାଦୀମାନେ ଧାର୍ମିକ ସ୍ଥଳ ଓ ଯବାନଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି। ଶାନ୍ତି ପ୍ରତିଷ୍ଠା ନେଇ ତାଲିବାନ୍‌ ସହ କଥାବାର୍ତ୍ତା ଜାରି ରହିଥିଲେ ବି ରବିବାର ଆଫଗାନିସ୍ତାନର ମଧ୍ୟ ପ୍ରାନ୍ତ ଗଜନୀରେ ଏକ ବଡ଼ ଆତଙ୍କୀ ହମ୍‌ଲା ହୋଇଛି। ଏହି କାର ବମ୍‌ ବିସ୍ଫୋରଣରେ ୩୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ୩୬ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ।

ଗଜନୀର ମୁଖ୍ୟ ହସ୍ପିଟାଲର ନିର୍ଦ୍ଦେଶକ ବାଜ ମହମ୍ମଦ ହେମତଙ୍କ କହିବାନୁସାରେ ୩୪ଟି ମୃତଦେହ ଓ ୩୬ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ସୁରକ୍ଷା କର୍ମୀ ବୋଲି ସେ କହିଛନ୍ତି।

ଆଫଗାନିସ୍ତାନର ଜାତୀୟ ସୁରକ୍ଷା ପରିଷଦର ଜଣେ ଅଧିକାରୀ କହିଛନ୍ତି ରବିବାର ପୂର୍ବ ପ୍ରାନ୍ତର ଗଜନୀ ସହରର ବାହାରପଟେ ଜଣେ ଆତଙ୍କବାଦୀ ବିସ୍ଫୋରକ ଥିବା କାରକୁ ପବ୍ଲିକ୍‌ ପ୍ରୋଟେକସନ୍‌ ୟୁନିଟ୍‌ ନିକଟରେ ବିସ୍ଫୋରଣ କରିଥିଲା। ଏଥିରେ ୩୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଗୁରୁତର ହୋଇଛନ୍ତି। ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ସେ କହିଛନ୍ତି। ଏହି ଆତ୍ମଘାତୀ ବିସ୍ଫୋରଣରେ ଆଖପାଖାର ଥିବା ଲୋକଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏଥିରେ କିଛି ସାଧାରଣ ଲୋକ ବି ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.