ଗଛରେ ପିଟି ହେବା ପରେ କାର୍‌ରେ ଲାଗିଲା ଭୀଷଣ ନିଆଁ; ୨ ଜୀବନ୍ତ ଦଗ୍ଧ…ରାସ୍ତାରେ ଯାଉଥିବା ଯୁବକ ଫେସ୍‌ବୁକ ଲାଇଭ୍‌ କରି ମାଗିଲେ ସାହାଯ୍ୟ

ଛତିଶଗଡ଼ର ମନେନ୍ଦ୍ରଗଡ଼-ଚିରମିରୀ-ଭରତପୁର ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ କାର୍‌ରେ ହଠାତ୍‌ ନିଅାଁ ଲାଗିଯିବାରୁ ସେଥିରେ ବସିଥିବା ୨ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଯେତେବେଳେ କି, ୬ ଜଣ ଲୋକ ଏଥିରେ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ପଥଚାରୀ ଯୁବକ ଫେସ୍‌ବୁକରେ ଲାଇଭ୍‌ କରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ ଏବଂ କାର୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ କରିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର ପରେ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ମନେନ୍ଦ୍ରଗଡ଼ ଥାନା ଅଞ୍ଚଳରେ ଘଟିଛି।

ସୂଚନା ମୁତାବକ, ୪୩ ନମ୍ବର ଜାତୀୟ ରାଜପଥର ମନେନ୍ଦ୍ରଗଡ଼-ଅମ୍ବିକାପୁର ମଝିରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି କି, କାର୍‌ରେ ଥିବା ୮ ଜଣ ବ୍ୟକ୍ତି କୋତମା ଅଭିମୁଖେ ଯାଉଥିଲେ। ଏହି ସମୟରେ ହଠାତ୍‌ କାର୍‌ ନିୟନ୍ତ୍ରଣ ହରାଇ ବସିଥିଲା ଏବଂ ଏକ ଗଛ ସହ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଜୋର୍‌ ଥିଲା ଯେ ଗଛରେ ପିଟି ହେବା ପରେ କାର୍‌ରେ ନିଅାଁ ଲାଗି ଯାଇଥିଲା ଏବଂ ଦେଖୁ ଦେଖୁ କାର୍‌ ଧୁ ଧୁ ହୋଇ ଜଳିବାକୁ ଲାଗିଥିଲା। ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ଫେସ୍‌ବୁକ ଲାଇଭ୍‌ କରି ଲୋକଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉକ୍ତ ଯୁବକଙ୍କ ସହ ମିଶି କୌଣସି ମତେ କାର୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ସେତେବେଳକୁ ୨ ଜଣଙ୍କର ମୃତ୍ୟୁ ଘଟି ସାରିଥିଲା। ଏ ପର୍ଯ୍ୟନ୍ତ ମୃତକ ଏବଂ ଆହତ ମାନଙ୍କୁ ଚିହ୍ନଟ କରାଯାଇ ନ ଥିବା ବେଳେ ସେପଟେ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.