ସାରା ଦେଶରେ ମାଡ଼ିଲାଣି ଟମାଟୋ ଫ୍ଲୁ! ବିପଦ ଆଶଙ୍କାରେ କେନ୍ଦ୍ର ଜାରି କଲା ଗାଇଡ୍‌ଲାଇନ; ଓଡ଼ିଶାରେ ୨୬ ରୋଗୀ

ଦେଶରେ କିଛି ଦିନ ହେବ ଟମାଟୋ ଫ୍ଲୁର ବିପଦ ଲଗାତାର ବଢ଼ି ଚାଲିଛି। ତଥ୍ୟ ମୁତାବକ, ଏହି ରୋଗ ସବୁଠାରୁ ଅଧିକ ଛୋଟ ଛୁଆଙ୍କଠାରେ ଦେଖିବାକୁ ମିଳୁଛି। ସାରା ଦେଶରେ ଟମାଟୋ ଫ୍ଲୁକୁ ନେଇ ହାଇ ଆଲର୍ଟ ଜାରି କରି ଦିଆଯାଇଛି। ଏଥି ସହିତ ନିଜ ପିଲାମାନଙ୍କୁ ସଂକ୍ରମଣ କବଳରୁ ରକ୍ଷା କରିବା ପାଇଁ ବାପା, ମା’ମାନଙ୍କୁ ଖାସ୍‌ ପରାମର୍ଶ ଦିଆଯାଇଛି। ରିପୋର୍ଟ ମୁତାବକ, ଏ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ୮୨ରୁ ଅଧିକ ପିଲା ଟମୋଟୋ ଫ୍ଲୁର ଶିକାର ହୋଇ ସାରିଲେଣି। ସେଥି ମଧ୍ୟରୁ କେରଳରେ ଏହି ସଂଖ୍ୟା ସବୁଠୁ ଅଧିକ ରହିଛି। ସେହିପରି ଓଡ଼ିଶାରେ ୨୬ରୁ ଅଧିକ ପିଲାଙ୍କୁ ଏହି ଫ୍ଲୁ ନିଜ କବଳକୁ ନେଇଛି।

ଟମୋଟୋ ଫ୍ଲୁ ଏମିତି ଏକ ରୋଗ, ଯେଉଁଥିରେ ଶରୀରେ ବଡ଼ ବଡ଼ ଫୋଟକା ସଦୃଶ ବାହାରି ପଡ଼ିଥାଏ। ଏହି ଫୋଟକା ଭିତରେ ପୂଜ ମଧ୍ୟ ଜମା ରହିଥାଏ ଏବଂ ଏହାକୁ ଫୁଟାଯାଇ ନ ଥାଏ। ଫୋଟକାର ଆକାର ଓ ରଙ୍ଗ ବିଲ୍‌କୁଲ ଟମାଟୋ ବରାବର ହୋଇଥାଏ। ଏହି କାରଣରୁ ଏହାର ନାମ ଟମାଟୋ ଫ୍ଲୁ ଦିଆଯାଇଛି। ଏହି ଭାଇରସ୍‌ ଦ୍ରୁତ ଗତିରେ ସଂକ୍ରମଣ ବିସ୍ତାର କରୁଛି। ଟମାଟୋ ଫ୍ଲୁର ବିପଦ ନର୍ସରୀ ଏବଂ ଡେ କେୟାର ପିଲାଙ୍କ କ୍ଷେତ୍ରରେ ସର୍ବାଧିକ ରହିଛି।

ଏହି ଭାଇରାଲ ସଂମ୍ରକଣକୁ ନେଇ କେନ୍ଦ୍ର ଗାଇଡ୍‌ଲାଇନ ଜାରି କରିଛି। ଗାଇଡ୍‌ଲାଇନ ଅନୁସାରେ, ଏହି ସଂକ୍ରମଣ ହାତ, ଗୋଡ଼ ଓ ମୁହଁ ରୋଗର ହିଁ ଏକ କ୍ଲିନିକାଲ୍‌ ଭ୍ୟାରିଏଣ୍ଟ, ଯାହାକି ସ୍କୁଲ ଯାଉଥିବା ପିଲାଙ୍କଠାରେ ସାଧାରଣ ରୂପେ ବ୍ୟାପୁଥିବାର ଦେଖାଯାଇଛି। ନବଜାତ ଶିଶୁମାନେ ଅଧିକ ଭାବେ ନାପକିନ୍‌ ବ୍ୟବହାର କରିବା, ଅସ୍ୱଚ୍ଛ ଚଟାଣକୁ ଛୁଇଁବା ଏବଂ କୌଣସି ବି ଜିନିଷକୁ ସିଧା ମୁହଁରେ ପୂରାଇବା ଦ୍ୱାରା ଏହି ସଂକ୍ରମଣ ବ୍ୟାପୁଛି। ଟମାଟୋ ଫ୍ଲୁ ପ୍ରାୟତଃ ପିଲାମାନଙ୍କଠାରେ ଦେଖିବାକୁ ମିଳୁଛି, କିନ୍ତୁ ଏହା ବୟସ୍କମାନଙ୍କୁ ମଧ୍ୟ ନିଜ କବଳକୁ ନେଇଯିବାର ସମ୍ଭାବନା ରହିଛି।

କହି ରଖୁଛୁ, ଟମାଟୋ ଫ୍ଲୁକୁ ନେଇ କୌଣସି ନିଶ୍ଚିତ ଔଷଧ କିମ୍ବା ଚିକିତ୍ସା ନାହିଁ। କିନ୍ତୁ ଏହାକୁ ଭାଇରାଲ ସଂକ୍ରମଣ ରୂପେ ହିଁ ଦେଖାଯାଇ ପାରିବ। ତେଣୁ ସମସ୍ତଙ୍କଠୁ ଦୂରତା ବଜାୟ ରଖିବା, ଗରମ ପାଣିରେ ରାସେଜ୍‌ ସଫା କରିବା ଏବଂ ତରଳ ପଦାର୍ଥ ସେବନ କରିବାକୁ କୁହାଯାଇଛି। ଏଥି ସହିତ ଟମାଟୋ ଫ୍ଲୁ ହେଲେ ଅତି କମ୍‌ରେ ୭ରୁ ୧୦ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ସମୟ ସୁଦ୍ଧା ଟମାଟୋ ଫ୍ଲୁ ଆପେ ଭଲ ହେବାକୁ ଲାଗିବ।

ତେବେ ସତର୍କତା ପାଇଁ ଯଦି ଅନ୍ୟ କୌଣସି ପିଲାକୁ ଜ୍ୱର କିମ୍ବା କୌଣସି ପ୍ରକାର ସଂକ୍ରମଣ ଅଛି, ତା’ ହେଲେ ତାଙ୍କଠାରୁ ଦୂରତା ବଜାୟ ରଖିବାକୁ ନିଜ ପିଲାମାନଙ୍କୁ ବୁଝାନ୍ତୁ। ଖାସ୍‌ କରି ତାଙ୍କୁ ଆଲିଙ୍ଗନ ନ କରିବାକୁ ପରାମର୍ଶ ଦିଅନ୍ତୁ। ଏହା ବ୍ୟତୀତ ରୁମାଲ ଧରି ସ୍କୁଲ ଯିବା, କୌଣସି ବି ଜିନିଷକୁ ପାଟିରେ ନ ପୂରାଇବା ଏବଂ ସଫାସୁତରା ପ୍ରତି ଧ୍ୟାନ ଦେବାକୁ ପିଲାମାନଙ୍କୁ କୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.