ସିଡିଏସ ପଦବୀ ପାଇଁ ସରକାରଙ୍କ ନୂଆ ଗାଇଡଲାଇନ, ଜାଣନ୍ତୁ କିଏ ରହିପାରିବେ ଦେଶର ଚିଫ ଅଫ୍‌ ଡିଫେନସ୍‌ ଷ୍ଟାଫ

 ନୂଆଦିଲ୍ଲୀ:  ଦେଶର ସର୍ବୋଚ୍ଚ ସୁରକ୍ଷା ପଦବି ପାଇଁ ସରକାରଙ୍କ ବଡ଼ ପରିବର୍ତ୍ତନ । ଦେଶର ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପାଇଁ ସରାକାର ଆଣିଲେ ନୂଆ ଗାଇଡ ଲାଇନ । ଏହି ପଦରେ ନିଯୁକ୍ତି ପାଇବାକୁ ଯୋଗ୍ୟ କେଉଁମାନେ ହେବେ ସେ ନେଇ ବିଜ୍ଞପ୍ତି ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ତିନି ସେନାର ମୁଖ୍ୟ ଭାବେ ସିଡିଏସ କାର୍ଯ୍ୟ କରିବେ। ପୂର୍ବରୁ ଏହି ପଦ ପାଇଁ ଗୋଟିଏ ଗାଇଡଲାଇନ ରହିଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି।

ନୂଆ ବିଜ୍ଞପ୍ତି ଅନୁସାରେ, ସିଡିଏସ୍ ପଦ ପାଇଁ କାର୍ଯ୍ୟରତ କିମ୍ବା ଅବସର ପ୍ରାପ୍ତ ଯେ କୌଣସି ଲେଫ୍ଟନାଣ୍ଟ ଜେନେରାଲ, ଏୟାର ମାର୍ଶଲ ଓ ଭାଇସ ଆଡମିରାଲ ଯୋଗ୍ୟ ବିବେଚିତ ହୋଇ ପାରିବେ। ତେବେ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଜରୁରୀ। ଏହି ନୂଆ ନିୟମ ଯୋଗୁ ଦ୍ୱିତୀୟ ସର୍ବୋଚ୍ଚ ଆକ୍ଟିଭ ରାଙ୍କର ଅଫିସରମାନେ ସେମାନଙ୍କ ଉପରେ ଥିବା ଅଫିସରଙ୍କୁ ଅତିକ୍ରମ କରି ସାମରିକ ବିଭାଗର ମୁଖ୍ୟ ହେବାର ସୁଯୋଗ ପାଇପାରିବେ।
ଅର୍ଥାତ ସ୍ଥଳସେନା,ବାୟୁସେନା ଓ ନୌସେନା ମୁଖ୍ୟଙ୍କୁ ଅତିକ୍ରମ କରି ଲେଫ୍ଟନାଣ୍ଟ ଜେନେରାଲ କିମ୍ବା ଏୟାର ମାର୍ଶଲ ଓ ଭାଇସ ଆଡମିରାଲ ସିଡିଏସ ଭାବେ କାମ କରିପାରିବେ।  ୩ ସେନା ବାହିନୀର ମୁଖ୍ୟ ମାନେ ମଧ୍ୟ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

ସେହିପରି ନୂଆ ଗାଇଡଲାଇନ ଅନୁଯାୟୀ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଆର୍ମି, ନାଭି ଓ ଏୟାରଫୋର୍ସରେ କାର୍ଯ୍ୟରତ ୩ ଷ୍ଟାର ଅଫିସର କିମ୍ବା ଅବସର ପ୍ରାପ୍ତ ୩ ଷ୍ଟାର ଓ ୪ ଷ୍ଟାର ଅଫିସର ସିଡିଏସ୍ ଭାବେ ନିଯୁକ୍ତି ପାଇପାରିବେ।

ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଗତବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏହି ପଦ ଖାଲି ପଡ଼ିଛି। ସିଡିଏସ୍ ଭାବେ ଜଣେ ଅଧିକାରୀ ସର୍ବାଧିକ ୩ ବର୍ଷ କାମ କରିବାର ପ୍ରାବଧାନ ରହିଛି। ସରକାର ସିଡିଏସଙ୍କ କାର୍ଯ୍ୟକାଳ ସର୍ବାଧିକ ତାଙ୍କୁ ୬୫ ବର୍ଷ ହେବା ଯାଏ ବୃଦ୍ଧି କରିପାରିବେ।