ପେଟ୍ରୋଲ-ଡିଜେଲ ଦାମ୍‌ ବୃଦ୍ଧିରୁ ମହଙ୍ଗା ହେଲା ଚାରିଧାମ ଯାତ୍ରା! ଏଥର ଯାତ୍ରୀ ଗଣିବେ ଦୁଇଗୁଣାରୁ ଅଧିକ ଭଡ଼ା

ମହଙ୍ଗା ମାଡ଼ ଏବେ ଭଗବାନଙ୍କ ଦର୍ଶନ ଉପରେ ମଧ୍ୟ ପଡ଼ିବାକୁ ଯାଉଛି। ପେଟ୍ରୋଲ-ଡିଜେଲର ଦାମ୍‌ ବୃଦ୍ଧି ହେତୁ ଏଥର ଚାରିଧାମ ଯାତ୍ରା ଗତବର୍ଷ ତୁଳନାରେ ମହଙ୍ଗା ହୋଇଯାଇଛି। ଯାତ୍ରାରେ ସବୁଠାରୁ ଅଧିକ ଚାଲୁଥିବା ଟେମ୍ପୋ ଟ୍ରାଭେଲରର (୧୨ରୁ ୧୪ ସିଟ୍‌) ସଞ୍ଚାଳକମାନେ ଭଡ଼ା ଦୁଇଗୁଣାରୁ ଅଧିକ ବଢ଼ାଇ ଦେଇଛନ୍ତି। ଅନ୍ୟ ଯାନଗୁଡ଼ିକର ଭଡ଼ାରେ ମଧ୍ୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।

ଗତ ବର୍ଷ ୪୦୦୦ ଟଙ୍କାରେ ମିଳୁଥିବା ଟେମ୍ପୋ ଟ୍ରାଭେଲର ଚଳିତ ବର୍ଷ ହରିଦ୍ୱାରରୁ ଚାରିଧାମ ପାଇଁ ୮୫୦୦ ଟଙ୍କା ପ୍ରତି ଦିନ ହିସାବରେ ଚାଲିବ। ବାହାରରୁ ଆସୁଥିବା ଯାତ୍ରୀମାନେ ଚାରିଧାମ ପାଇଁ ଅଧିକାଂଶ ଟେମ୍ପୋ ଟ୍ରୋଭେଲର ହିଁ ବୁକ କରି ଥାଆନ୍ତି। ହରିଦ୍ୱାର ଟ୍ରାଭେଲ ଆସୋସିଏସନ ଅଧ୍ୟକ୍ଷ ଉମେଶ ପାଲିଓ୍ଵାଲଙ୍କ କହିବା ହେଲା, ୨୦୨୦ରେ ଚାରିଧାମ ଯାତ୍ରା କରୋନା କାରଣରୁ ବନ୍ଦ ରହିଥିଲା। କିନ୍ତୁ ୨୦୨୧ରେ ସର୍ତ୍ତ ପାଳନ ଭିତରେ ଚାରିଧାମ ଯାତ୍ରା ଚଲାଯାଇଥିଲା, ଯଦ୍ଦ୍ଵାରା ଅଧିକାଂଶ ଯାତ୍ରୀଙ୍କୁ ବିନା ଦର୍ଶନରେ ଫେରିବାକୁ ପଡ଼ିଥିଲା।

ଏଥର ଚାରିଧାମ ଯାତ୍ରାରେ ବଡ଼ ସଂଖ୍ୟାରେ ଯାତ୍ରୀ ଆସିବାର ସମ୍ଭାବନା ରହିଛି। ପେଟ୍ରୋଲ-ଡିଜେଲ ଦାମ୍‌ ବୃଦ୍ଧି ଯୋଗୁ ଅନ୍ୟ ଯାନଗୁଡ଼ିକର ଭଡ଼ାକୁ ବି ବଢ଼ାଇ ଦିଆଯାଇଛି। ଇନୋଭା ୪୫୦୦ରୁ ୬୦୦୦, ବୋଲେରୋ ଓ ମ୍ୟାକ୍ସ ୩୫୦୦ରୁ ବଢ଼ି ୫୦୦୦, ଡିଜାୟାର ୨୮୦୦ରୁ ବଢ଼ି ୩୮୦୦ ଟଙ୍କା ପ୍ରତି ଦିନ ହିସାବରେ ଧାର୍ଯ୍ୟ କରାଯାଇଛି।

ବସ୍‌ ଭଡ଼ାରେ ୫୦ ହଜାର ଟଙ୍କା ବୃଦ୍ଧି!

ଚାରିଧାମ ଯାତ୍ରା ଲାଗି ଏଥର ୪୨ ସିଟ୍‌ ବିଶିଷ୍ଟ ବସ୍‌କୁ ୧୦ ଦିନ ପାଇଁ ୧.୬୦ ଲକ୍ଷ ଟଙ୍କାରେ ବୁକ୍‌ କରାଯାଇ ପାରିବ। ଯେତେବେଳେ କି, ୨୦୨୧ରେ ଏହି ବସ୍‌ ୧.୧୦ ଲକ୍ଷ ଟଙ୍କାରେ ବୁକ୍‌ ହେଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.