ଆସାମ ମୁଖ୍ୟମନ୍ତ୍ରୀ କହିଲେ ମା’ ହେବାର ସଠିକ୍‌ ବୟସ ୨୨ରୁ ୩୦ ବର୍ଷ; ଏମିତି ସ୍ୱାମୀମାନଙ୍କୁ ହୋଇପାରେ ଆଜୀବନ କାରାଦଣ୍ଡ!

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ପ୍ରାୟତଃ ନିଜର ବୟାନକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଏବେ ହିମନ୍ତ ଏକ କାର୍ଯ୍ୟକ୍ରମରେ ମହିଳାଙ୍କ ମାତୃତ୍ୱକୁ ନେଇ ବୟାନ ରଖିଛନ୍ତି। ସେ ଜଣେ ମହିଳାଙ୍କର ମା’ ହେବାର ସଠିକ୍‌ ବୟସ ବିଷୟରେ କହିଛନ୍ତି। ହିମନ୍ତ କହିଛନ୍ତି ଯେ ମହିଳାମାନେ ଠିକ୍‌ ବୟସରେ ହିଁ ମା’ ହେବା ଉଚିତ୍‌। କାରଣ, ଏମିତି ନ ହେଲେ ଅନେକ ପ୍ରକାର ମେଡିକାଲ ଜଟିଳତା ଦେଖାଦେଇଥାଏ। ସେ ଏକ ସରକାରୀ ସମାରୋହରେ ଯୋଗଦେଇ ଏହି ବୟାନ ରଖିବା ସହ କହିଥିଲେ କି, କମ୍‌ ବୟସରେ ବିବାହ ଏବଂ ମାତୃତ୍ୱକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ଅଛନ୍ତି।

କହି ରଖୁଛୁ, ହିମନ୍ତ ବିଶ୍ୱା ଶର୍ମାଙ୍କ ବୟାନ ରାଜ୍ୟ ସରକାରଙ୍କ ଦ୍ୱାରା ବାଲ୍ୟ ବିବାହ ଏବଂ କମ୍‌ ବୟସରେ ମାତୃତ୍ୱ ଯାଞ୍ଚକୁ ନେଇ କଡ଼ା ଆଇନ ଆଣିବା ତଥା ପୋକ୍ସୋ ଅଧିନିୟମକୁ ଲାଗୁ କରିବାର ନିର୍ଣ୍ଣୟ ଉପରେ ଆସିଛି। ସିଏମ୍‌ କହିଛନ୍ତି, ଆଗାମୀ ୫-୬ ମାସ ଭିତରେ ଏଭଳି ହଜାର ହଜାର ଲୋକ (ସ୍ୱାମୀ)ଙ୍କୁ ଗିରଫ କରାଯିବ। କାରଣ, ୧୪ରୁ କମ୍‌ ବୟସର ନାବାଳିକାଙ୍କ ସହିତ ଯୌନ ଶୋଷଣ କରିବା ଏକ ଅପରାଧ, ସେ ଆଇନ ରୂପେ ସ୍ୱାମୀ ହୁଅନ୍ତୁ ନା କାହିଁକି।

ବିଶ୍ୱା ଶର୍ମା ଆହୁରି କହିଥିଲେ ଯେ ମହିଳାଙ୍କ ବିବାହର ଆଇନଗତ ବୟସ ହେଲା ୧୮ ବର୍ଷ। କମ୍‌ ବୟସର ଝିଅଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି, ଅନେକ ବ୍ୟକ୍ତିଙ୍କୁ ଏଥିପାଇଁ ଆଜୀବନ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସିଏମ୍‌ କହିଥିଲେ।

କାର୍ଯ୍ୟକ୍ରମ ଅବସରରେ ମାତୃତ୍ୱ ବିଷୟରେ କହି ହିମନ୍ତ ବିଶ୍ୱା ଶର୍ମା କହିଥିଲେ, ମହିଳାମାନଙ୍କୁ ମା’ ହେବା ପାଇଁ ଅଧିକ ଅପେକ୍ଷା କରିବା କଥା ନୁହେଁ। କାରଣ, ଏହାଦ୍ୱାରା ଜଟିଳତା ସୃଷ୍ଟି ହୋଇଥାଏ। ହିମନ୍ତ କହିଥିଲେ, ଭଗବାନ ଆମ ଶରୀରକୁ ଏପରି ଗଢ଼ିଛନ୍ତି ଯେ ପ୍ରତ୍ୟେକ ଜିନିଷ ପାଇଁ ଏକ ଉପଯୁକ୍ତ ବୟସ ରହିଛି। ମା’ ହେବାର ସଠିକ୍‌ ବୟସ ହେଉଛି ୨୨ରୁ ୩୦ ବର୍ଷ।

Leave A Reply

Your email address will not be published.