କଂଗ୍ରେସ ନେତ୍ରୀ ଟ୍ଵିଙ୍କଲ ଡାଗରେ ହତ୍ୟା ମାମଲା : ‘ଦୃଶ୍ୟମ୍’ ଫିଲ୍ମ କାହାଣୀରୁ ପ୍ରେରଣା

ଇନ୍ଦୋର : ପ୍ରେମ, ପ୍ରତାରଣା ଓ ହତ୍ୟାର ଆଉ ଏକ କାହାଣୀ । ପ୍ରେମିକାରୁ ପତ୍ନୀ ବନିଥିବା ଯୁବତୀକୁ ମାରି ଜାଳି ଦେଲା ଯୁବକ । ଆଉ ଅଜୟ ଦେବଗନ୍ଙ୍କ ଫିଲ୍ମ ‘ଦୃଶ୍ୟମ’ କାହାଣୀ ଭଳି କୁକୁର ମରିଗଲା ବୋଲି କହିଦେଲା । ଘଟଣା ହେଉଛି ଦୁଇ ବର୍ଷ ତଳର । ଆଉ ଏବେ ପୋଲିସ୍ ପର୍ଦ୍ଦାଫାସ୍ କରିଛି । ଧରିଛି ଅଭିଯୁକ୍ତକୁ ।
ବିଜେପି ପ୍ରେମିକ କଂଗ୍ରେସ ପ୍ରେମିକା
ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଛି ଘଟଣା । ୨ ବର୍ଷ ପୂର୍ବରୁ ଅଚାନକ ନିଖୋଜ ହୋଇଯାଇଥିଲେ କଂଗ୍ରେସର ଯୁବା ନେତ୍ରୀ ଟ୍ଵିଙ୍କଲ ଡାଗରେ । ପୋଲିସ୍ ଖୋଜି ଖୋଜି ନୟାନ୍ତ ହେଲା । ଶେଷରେ ଧରିଲା ବିଜେପି ନେତାଙ୍କୁ ଆଉ ଖୋଲିଲା ରହସ୍ୟ ।
ବିଜେପି ନେତା ତଥା କର୍ପୋରେଟର ଜଗଦୀଶ କରୋତିଆଙ୍କ ପୁଅ ଅଜୟ କରୋତିଆ ଏହି କାଣ୍ଡ ଭିଆଇଥିଲେ ।
ଘଟଣା ଥିଲା ଏମିତି
୨୦୧୬ ଅକଟୋବର ୧୬ ତାରିଖ । ସକାଳେ ଟ୍ଵିଙ୍କଲ ଜଳଖିଆ କରିବାକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରି ନିଆଗଲା । ଆଉ ରାତିରେ ଫାର୍ମରେ ହେଲା ହତ୍ୟା । ମୃତଦେହକୁ କାର୍ ଭିତରେ ରଖିଥିଲେ ସାରା ରାତି । ପରଦିନ ଶବକୁ ଟିଗୋରିଆ ଫ୍ୟାକଟ୍ରି ପାଖରେ ଅଜୟ ଓ ତାଙ୍କ ବାପା ପୋଡ଼ି ଦେଇଥିଲେ । ଏତିକି ବେଳେ ସେମାନଙ୍କୁ ଦେଖି ଦେଇଥିଲେ ସେଠାକାର ଚୌକିଦାର । ସଫେଇରେ ବାପ ପୁଅ କହିଥିଲେ ଯେ ତାଙ୍କ ଘରର କୁକୁର ମରି ଯାଇଥିଲା । ତାକୁ ପୋଡ଼ି ଦେଲେ । ଏହାପରେ ମ୍ୟୁନିସିପାଲିଟି କର୍ମଚାରୀମାନେ ସେହି ଜାଗା ଉପରେ ଆବର୍ଜନା ଢାଳି ଦେଲେ ଓ ପରେ ନିଆ ଲଗାଇ ଜଳାଇବା ସହ ନଳାରେ ଭସାଇ ଦେଲେ । ସେଥିରେ ଟ୍ଵିଙ୍କଲର ପୋଡ଼ା ଶବର ଅଂଶ ମଧ୍ୟ ହଜିଗଲା ।
ପୋଲିସ୍ ସହଯୋଗ କଲାନାହିଁ
ଅନେକ ଖୋଳତାଡ଼ ପରେ ଅଜୟଙ୍କୁ ଜେରା କରି ସତ ଓଗାଳିଲା ପୋଲିସ୍ । ତାଙ୍କର ବ୍ରେନ୍ ମ୍ୟାପିଂ କରି ପ୍ରଥମେ ସୁରାକ୍ ପାଇଥିଲା । ଜେରା ଜୋରଦାର ହେବା ପରେ ସବୁ ସତ କହିଗଲା ଅଜୟ । ଟ୍ଵିଙ୍କଲ ସହିତ ତାର ପ୍ରେମ ସମ୍ପର୍କ ଥିଲା । ଟ୍ଵିଙ୍କଲକୁ ସେ ଅନ୍ୟମାନଙ୍କ ଅଜାଣତରେ ମନ୍ଦିରରେ ବିବାହ କରିଥିଲା ।
ତେବେ ଏକଥା ଘରେ ଜାଣିବା ପରେ ବାପା ଜଗଦୀଶ ଭୀଷଣ ବିରକ୍ତ ହୋଇଥିଲେ । ଟ୍ଵିଙ୍କଲ ଜଣେ ଚରିତ୍ରହୀନ ଯୁବତୀ ବୋଲି କହିଥିଲେ । ଟ୍ଵିଙ୍କଲ ମଧ୍ୟ ତାଙ୍କ ପରିବାରରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲା ଏବଂ ସ୍ତ୍ରୀର ମାନ୍ୟତା ଦେବାକୁ ବାଧ୍ୟ କରୁଥିଲା । ତେଣୁ ବାପ ସହ ମିଶି ଟ୍ଵିଙ୍କଲର ଜୀବନକୁ ଶେଷ କରି ଦେଇଥିଲେ । ଏକଥା ଜାଣିବା ପରେ ଅଜୟଙ୍କ ମା ବେହୋସ ହୋଇଗଲେ । ତାଙ୍କୁ ଉଜ୍ଜୟିନୀ ଡାକ୍ତରଖାନାରେ ଭର୍ତ୍ତି କରାଗଲା ।
ହାଇକୋର୍ଟଙ୍କ ହସ୍ତକ୍ଷେପ ଓ ବ୍ରେନ୍ମ୍ୟାପିଂ
ଅପହରଣ ହୋଇଥିବା ଦିନ ୧୨ଟା ବେଳୁ ଟ୍ଵିଙ୍କଲର ଫୋନ୍ ବନ୍ଦ ହୋଇ ଯାଇଥିଲା । ଟ୍ଵିଙ୍କଲଙ୍କ ପରିବାର ଲୋକଙ୍କୁ ଏତଲା ଅନୁଯାୟୀ ପୋଲିସ୍ ତଦନ୍ତ ସିନା କରୁଥିଲା ହେଲେ ସେଥିରେ କିଛି ଫଳ ମିଳୁ ନଥିଲା । ଓଲଟା ଅଜୟର ପରିବାର ଲୋକେ ଟ୍ଵିଙ୍କଲ ବାପା ମା’ଙ୍କ ଉପରେ ପାଲଟା ଦୋଷ ଲଗାଇଥିଲେ । ପୋଲିସ୍ର ସହଯୋଗ ନପାଇ ଶେଷରେ ଟ୍ଵିଙ୍କଲ ବାପା ମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଆଦେଶ ଦେଲେ ତିନି ମାସ ଭିତରେ ଟ୍ଵିଙ୍କଲକୁ ଆଣି ହାଜର କରିବାକୁ । ପୋଲିସ୍ ଉଭୟ ଟ୍ଵିଙ୍କଲ ଓ ଅଜୟର ପରିବାର ଲୋକଙ୍କ ବ୍ରେନ୍ ମ୍ୟାପିଂ କରିଥିଲା । ଟ୍ଵିଙ୍କଲଙ୍କ ବାପା ମା କ୍ଲିନ୍ ଚିଟ୍ ପାଇଥିବା ବେଳେ ଅଜୟଙ୍କ ଠାରୁ ସୁରାକ୍ ମିଳିଥିଲା । ତେଣୁ ତନାଘନା କରି ଶେଷରେ ଦୁଇ ବର୍ଷ ପରେ ଅଜୟଙ୍କ ମୁହଁରେ ହତ୍ୟା ଘଟଣାକୁ ସ୍ୱୀକାର କରାଇଛି ପୋଲିସ୍ ।
ଗିରଫ ହୋଇଛନ୍ତି ବିଜେପି ନେତା ଜଗଦୀଶ କତିୟାର ଏବଂ ତାଙ୍କ ପୁଅ ଅଜୟ, ବିଜୟ ଓ ବିନୟ । ଏମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ଘଟଣାରେ ଜଣେ କନେଷ୍ଟବଳଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି । ଯିଏକି ଏମାନଙ୍କୁ ସହାୟତା କରିଥିବା କୁହାଯାଉଛି । ଯାଞ୍ଚ ବେଳେ ପୋଲିସ୍ ଟ୍ଵିଙ୍କଲ ଶବ ପୋଡ଼ା ଯାଇଥିବା ସ୍ଥାନକୁ ଖୋଳି ସେଠାରୁ ତାଙ୍କର କାନଫୁଲ ଆଦି ଜବତ କରିଛି ।
ଏବେ ଘଟଣାର ଅଧିକ ଯାଞ୍ଚ ଚାଲିଛି । ଚାଲିବ ମାମଲାର ଶୁଣାଣି ।